You are currently viewing ସୁଶାନ୍ତଙ୍କୁ କରାଯାଇଥିଲା ହତ୍ୟା

ସୁଶାନ୍ତଙ୍କୁ କରାଯାଇଥିଲା ହତ୍ୟା

ମୁମ୍ବାଇ(୨୭.୧୨.୨୨) : ମୃତ୍ୟୁର ଅଢେଇ ବର୍ଷ ପରେ ପୁଣି ଚର୍ଚ୍ଚାରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ଯାହାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ହଟଚମଟ ସୃଷ୍ଟି ହୋଇଥିଲା, ଏବେ ପୁଣି ଆରମ୍ଭ ହୋଇଛି ବିତର୍କ ।   ଏହି ବତର୍କର ମୂଳରେ ରହିଛନ୍ତି ସୁଶାନ୍ତ ମୃତଦେହ ପୋଷ୍ଟମର୍ଟମ କରିଥିବା କର୍ମଚାରୀ। ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ।ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା, ସେ ନେଇ ଆଜି ବି ସସ୍‌ପେନ୍ସ ଜାରି ରହିଛି। ପ୍ରାରମ୍ଭିକ ତଦନ୍ତ ପରେ ମୁମ୍ବାଇ ପୁଲିସ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲା। ପରେ ସିବିଆଇ ହାତକୁ ଏହି ତଦନ୍ତ ଯାଇଥିଲା। ଏବେ କିନ୍ତୁ ସୁଶାନ୍ତ ମୃତ୍ୟୁ ମାମଲାକୁ ନେଇ ଏକ ନୂଆ ମୋଡ ସାମ୍ନାକୁ ଆସିଛି। ସେ ଆତ୍ମହତ୍ୟା କରି ନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି। ଏଭଳି କିଛି ଦାବି କରିଛନ୍ତି ସୁଶାନ୍ତଙ୍କ ବ୍ୟବଚ୍ଛେଦରେ ସାମିଲ ହୋଇଥିବା ରୂପ କୁମାର ନାମକ ଜଣେ କର୍ମଚାରୀ। ରୂପ କୁମାରଙ୍କ ଏହି ଚାଞ୍ଚଲ୍ୟକର ବୟାନକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି। ତାଙ୍କ ଦାବି ମୁତାବକ, ସୁଶାନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମୁମ୍ବାଇର କୁପର ହସ୍ପିଟାଲ ଅଣାଯାଇଥିଲା। ତାଙ୍କ ମର ଶରୀରରେ ଅନେକ କ୍ଷତ ଚିହ୍ନ ଥିଲା। ତାଙ୍କ ବେକରେ ଦୁଇରୁ ତିନୋଟି ଦାଗ ଥିଲା। ଘଟଣାକୁ ନେଇ ସେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ କଥା ହୋଇଥିଲେ। ନିୟମ ଅନୁଯାୟୀ ଶବ ବ୍ୟବଚ୍ଛେଦ ସମୟରେ ରେକର୍ଡ କରିବି ବୋଲି ଅଧିକାରୀଙ୍କୁ ପଚରିଥିଲେ। କିନ୍ତୁ ତାଙ୍କୁ ପୋଷ୍ଟମର୍ଟମର ଫଟୋ ଉଠାଇ ଯେତେ ଶୀଘ୍ର ହେବ ସେତେ ଶୀଘ୍ର ମୃତଦେହକୁ ପୁଲିସକୁ ଦେବାକୁ କୁହାଯାଇଥିଲା। ଏହି କାରଣରୁ ରାତିରେ ହିଁ ବ୍ୟବଚ୍ଛେଦ କରାଯାଇଥିଲା।ସେପଟେ ସୁଶାନ୍ତ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ସଚିନ ସୋନାୱାନେ କହିଛନ୍ତି, ରୂପ କୁମାର ଶାହା ବ୍ୟବଚ୍ଛେଦ କରିଥିବା ଟିମ୍‌ରେ ସାମିଲ ନଥିଲେ।ଅନ୍ୟପଟେ ଏହି ବୟାନ ସାମ୍ନାକୁ ଆସିବା ପରେ ସୁଶାନ୍ତ ସିଂହଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତି ରୂପକୁମାରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସରକାରଙ୍କୁ ଗୁହାରି କରିଛନ୍ତି। ସେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାକୁ ଟ୍ୟାଗ୍ କରିଛନ୍ତି। ଅନ୍ୟପଟେ ସୁଶାନ୍ତଙ୍କ ଆଉ ଜଣେ ଭଉଣୀ ପ୍ରିୟଙ୍କା ମଧ୍ୟ ଏହି ମାମଲାର ତଦନ୍ତ ପୁଣି ଥରେ କରିବା ପାଇଁ ଓ ତୁରନ୍ତ ଆକ୍ସନ ନେବା ପାଇଁ ଅନୁରୋଧ କରିଛନ୍ତି।ଉଲ୍ଲେଖଯୋଗ୍ୟ, ୨୦୨୦ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହୋଇଥିଲା। ମୁମ୍ବାଇ ବାନ୍ଦ୍ରା ସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅନେକ ଦାବି ଉଠିଥିଲା। ପରେ ଏହି ମୃତ୍ୟୁ ମାମଲାକୁ ନେଇ ଡ୍ରଗ୍ସ ଲିଙ୍କ ମଧ୍ୟ ସାମ୍ନାକୁ ଆସିଥିଲା। ଏହି ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇକୁ ଏନ୍‌ସିବି ଗିରଫ ମଧ୍ୟ କରିଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।