ଶ୍ରୀନଗର (୧୮.୧୦.୨୨) : ଜାମ୍ମୁ-କାଶ୍ମୀରରେ ଆତଙ୍କୀ ହମଲା ହୋଇଛି । ସୋପିଆନ ଜିଲ୍ଲାରେ ଶନିବାର ଆତଙ୍କବାଦୀଙ୍କ ଦ୍ୱାରା କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିବା ପରେ ଏବେ ଏହି ଜିଲ୍ଲାରେ ଆଉ ଦୁଇଜଣ ପ୍ରବସୀ ଶ୍ରମିକଙ୍କୁ ହତ୍ୟା କରାଯାଇଛି । ମୃତ ଦୁଇ ଶ୍ରମିକ ଉତ୍ତରପ୍ରଦେଶ କନୌଜ ଜିଲ୍ଲାର ରାମ ସାଗର ଓ ମୋନିସ କୁମାର ବୋଲି ଜଣାପଡିଛି।

ଏହି ଘଟଣାରେ ଲସ୍କର-ଇ-ତୋଇବାର ଜଣେ ହାଇବ୍ରିଡ୍ ଆତଙ୍କବାଦୀକୁ ଗିରଫ କରାଯାଇଛି। ସୋମବାର ରାତିରେ ଶ୍ରମିକମାନେ ଘରେ ଶୋଇଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପ୍ରଥମେ ଗ୍ରେନେଡ୍ ମାଡ କରିଥିଲେ। ଏହାପରେ ଶ୍ରମିକଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ ଆତଙ୍କୀ। ଏଥିରେ ଦୁଇ ଜଣ ଶ୍ରମିକ ଆହତ ହୋଇଥିଲେ। ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା।

ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଜମ୍ମୁ-କଶ୍ମୀର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାରଙ୍କ କହିବା ମୁତାବକ, ‘ଲସ୍କର-ଇ-ତୋଇବାର ଜଣେ ଆତଙ୍କବାଦୀ ଇମ୍ରାନ ବସିର୍କୁ ଗିରଫ କରାଯାଇଛି। ଇମ୍ରାନ୍ ହିଁ ଶ୍ରମିକମାନେ ଶୋଇଥିବା ଅବସ୍ଥାରେ ଗ୍ରେନେଡ୍ ମାଡ କରିଥିଲା। ତାକୁ ପଚରାଉଚରା ଜାରି ରହିଛି।