ମୁମ୍ବାଇ (୧୩.୧୦.୨୨) : ଏକ ମାତ୍ର ଭାରତୀୟ ଫିଲ୍ମ ଭାବେ ଓସ୍କାର ୨୦୨୩ ରେ ପ୍ରବେଶ କରିଥିବା ଗୁଜୁରାଟୀ ଫିଲ୍ମ ‘ଛୋଲୋ ଶୋ’ ବା ଲାଷ୍ଟ ଫିଲ୍ମ ଶୋ’ ଆଉ କିଛି ଦିନ ପରେ ରିଲିଜ ହେବ । ହେଲେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଆସିଛି ଦୁଃଖଦ ଘଟଣା ସାମ୍ନାକୁ । ଏହି ଫିଲ୍ମରେ ଥିବା ୬ ଜଣ ଶିଶୁକଳାକାରଙ୍କ ମଧ୍ୟରୁ ୧୫ ବର୍ଷୀୟ ରାହୁଲ କୋଲିଙ୍କ ମୃତ୍ୟୁ ହୋଇଛି ।

ଫିଲ୍ମଟି ଓସ୍କାର ପୁରସ୍କାର ଦୌଡରେ ସାମିଲ ହୋଇଥିବାରୁ ଏହି ଫିଲ୍ମରେ ଥିବା ୬ ଶିଶୁ କଳାକାର ରାତାରାତି ଷ୍ଟାର ହୋଇଥିଲେ । ରାହୁଲ ଅକ୍ଟୋବର ୨ ତାରିଖରୁ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି । ରାହୁଲ ମାରାତ୍ମକ ଲିକୋମିଆ ରୋଗରେ ପୀଡିତ ଥିଲେ । ଏହା ଏକ ରକ୍ତ ଜନିତ କର୍କଟ ରୋଗ । ଏଥି ପାଇଁ ୪ ମାସ ହେବ ତାଙ୍କର ଚିକିତ୍ସା ଚାଲିଥିଲା । ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ରାହୁଲଙ୍କ ପାଇଁ ସୋମବାର ଗୁଜୁରାଟର ଜାମନଗର ସ୍ଥିତ ହାପାରେ ଶୋକସଭା ଆୟୋଜନ ହୋଇଥିଲା । ତାଙ୍କ ବାପା ରାମୁ କୋଲି ଜଣେ ଅଟୋ ଚାଳକ । ପୁଅର ଦେହାନ୍ତ ପରେ ସେ ସମ୍ପର୍ଣ୍ଣ ଭାଙ୍ଗି ଯାଇଛନ୍ତି । ତାଙ୍କ ବାପାଙ୍କ କହିବା ଅନୁସାରେ ରାହୁଲଙ୍କୁ ପ୍ରଥମେ ଜ୍ୱର ହୋଇଥିଲା । କିନ୍ତୁ ପରିବାର ଲୋକ ଏହାକୁ ସାଧାରଣ ଜ୍ୱର ଭାବିଥିଲେ । ତାଙ୍କ ଅବସ୍ଥା ଗୁରୁତ୍ୱର ହେବାରୁ ପରିବାର ଲୋକତାଙ୍କୁ ପ୍ରଥମେ ଜାମନଗର ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ କୌଣସି ଫଳ ନ ମିଳିବାରୁ ତାଙ୍କୁ ଅହମଦାବାଦ ନେଇଥିଲେ । ସେଠାରେ ଅକ୍ଟୋବର ୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।