କୋଲକାତା: ରବୀନ୍ଦ୍ରନାଥ ଠାକୁରଙ୍କ ପ୍ରସିଦ୍ଧ କ୍ଷୁଦ୍ର ଗଳ୍ପ କାବୁଲିୱାଲାର କାହାଣୀକୁ ନେଇ ପ୍ରସ୍ତୁତ ସିନେମା ‘କାବୁଲିୱାଲା’ ଆସନ୍ତା ଡିସେମ୍ବରରେ ଖ୍ରୀଷ୍ଟମାସ ଅବସରରେ ରିଲିଜ ହେବ। ତେବେ ଏନେଇ ଏସଭିଏଫ୍ ଏବଂ ଜିଓ ଷ୍ଟୁଡିଓ ପକ୍ଷରୁ ଗତକାଲି ସିନେମାର ଅଫିସିଆଲ ପୋଷ୍ଟର ରିଲିଜ୍ ହୋଇଛି। ଏଥିରେ ଖ୍ୟାତନାମା ଅଭିନେତା ମିଥୁନ ଚକ୍ରବର୍ତୀ ରହମତ ବା କାବୁଲିଓ୍ୱାଲା ଚରିତ୍ରରେ ଅଭିନୟ କରିଛନ୍ତି। ସେହିପରି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସୁମନ ଘୋଷ ଦେଇଛନ୍ତି। ଛୋଟ ଝିଅ ମିନି ସହ ରହମତଙ୍କୁ ଉକ୍ତ ପୋଷ୍ଟରରେ ଦେଖିବାକୁ ମିଳିଛି।
କାବୁଲିୱାଲା ହେଉଛି ଜଣେ ମଧ୍ୟବୟସ୍କ ଆଫଗାନ୍ ରହମତର କାହାଣୀ। ସେ ପ୍ରତିବର୍ଷ କୋଲକାତାକୁ ଫଳ ବିକିବା ପାଇଁ ଆସେ । ଏହି ସମୟରେ ୫ ବର୍ଷର ଝିଅ ମିନି ସହିତ ତାଙ୍କର ନିବିଡ଼ ସଂପର୍କ ସ୍ଥାପନ ହୋଇଛି। ଭୌଗୋଳିକ ସୀମା ଏବଂ ସାଂସ୍କୃତିକ ବିଭେଦତା ସତ୍ତ୍ଵେ ପ୍ରେମର ଗୁରୁତ୍ଵ ସମ୍ପର୍କରେ ଗଳ୍ପରେ ଯାହା ବର୍ଣ୍ଣନା ରହିଛି ତାହାକୁ ସିନେମାରେ ଚିତ୍ରଣ କରାଯାଇଛି। ପୋଷ୍ଟରରେ ରହମତ ଲମ୍ବା କୁର୍ତା, ଢିଲା କୋଟ୍, ପ୍ୟାଣ୍ଟ, ମୁଣ୍ଡରେ ଧଳା ପଗଡ଼ି ଏବଂ ଡାହାଣ କାନ୍ଧରେ ଗଣ୍ଠିଲି ପକାଇଛନ୍ତି। ସେହିଭଳି ମିନି ବାଇଗେଣି ରଙ୍ଗର ପୋଷାକ ସହିତ ମଥାରେ ନାଲି ରିବନ ପିନ୍ଧିଛି। ନିର୍ଦ୍ଦେଶକ ସୁମନ ଘୋଷ ଉକ୍ତ ସିନେମାରେ ୧୯୬୦ ଦଶକର କୋଲକାତାର ଅଭିଜ୍ଞତା ଏବଂ ବନ୍ଧୁତାର ଅବିସ୍ମରଣୀୟ କାହାଣୀକୁ ଦର୍ଶକଙ୍କୁ ଦେବାକୁ ପ୍ରୟାସ କରିଛନ୍ତି ।