You are currently viewing ଏଚ୩ଏନ୩ ଭାଇରସକୁ ନେଇ ରୁହନ୍ତୁ ସତର୍କ

ଏଚ୩ଏନ୩ ଭାଇରସକୁ ନେଇ ରୁହନ୍ତୁ ସତର୍କ

 କୋଭିଡ ସଂକ୍ରମଣ ପରେ ଏବେ ବଢ଼ିଲା H3N2 ଭାଇରସ ଭୟ।ଓଡିଶାରେ ବୃଦ୍ଧି ପାଉଥିବା H3N2 ଭାଇରସ ସଂକ୍ରମଣ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । H3N2 ଇନ୍‌ଫ୍ଲୁଏଞ୍ଜାରେ ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ପରେ ଭୟ ବଢ଼ିବାରେ ଲାଗିଛି । କର୍ଣ୍ଣାଟକ ଓ ହରିଆଣାରୁ ଜଣେ ଲେଖାଏଁ ସଂକ୍ରମିତ ଏଥିରେ ପ୍ରାଣ ହରାଇଛନ୍ତି। H3N2 ଇନ୍‌ଫ୍ଲୁଏଞ୍ଜାର ଲକ୍ଷଣ କୋଭିଡ ସହ ସମାନ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ପୁଣି ଜୋର ଦିଆଯାଇଛି। ଗତ ୨ ମାସରେ ଓଡିଶାର ୨୨୫ ନମୁନା ମଧ୍ୟରୁ ପ୍ରାୟ ୫୯ ଜଣ H3N2 ଇନଫ୍ଲୁଏଞ୍ଜାରେ ସଂକ୍ରମିତ ହୋଇଥିବା ରେକର୍ଡ କରାଯାଇଛି । ଭୁବନେଶ୍ୱରର ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର ଏ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଭାଇରସରେ ସାଧାରଣତଃ ଜ୍ୱର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଇଥାଏ । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଭାଇରସ ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ନଜରରେ ରଖି ପ୍ରତ୍ୟେକ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଏହାସହିତ ସ୍ୱାସ୍ଥ୍ୟ ସୁବିଧା ଏବଂ ସାମୁଦାୟିକ ସ୍ତରରେ ଇନଫ୍ଲୁଏଞ୍ଜା ପରି ରୋଗ ଓ ଶ୍ୱାସକ୍ରିୟା ସଂକ୍ରମଣ ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି H1N1 ଏବଂ H3N2 ଇନଫ୍ଲୁଏଞ୍ଜା ‘ଏ’ ଭାଇରସର ସବ୍ ଭାରିଆଣ୍ଟ। ଡିସେମ୍ବର ମାସରୁ ମାର୍ଚ୍ଚ ମାସ ମଧ୍ୟରେ ଏହି ସାମାନ୍ୟ ଫ୍ଲୁ’ ପିଲାଠୁ ବୟସ୍କ ସମସ୍ତଙ୍କ ଦେହରେ ସାଧାରଣ ଭାବରେ ଦେଖାଯାଇଥାଏ । ଅଧିକାଂଶ ରୋଗ ସମାନ୍ୟ ଏବଂ ଆତ୍ମ ସୀମିତ ହୋଇଥିବା ବେଳେ ନିୟମିତ ହାତ ଧୋଇବା, ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ଜନଗହଳିପୂର୍ଣ୍ଣ ଇଲାକାରୁ ଦୂରେଇ ରହିବା ଏହାର ପ୍ରମୁଖ ଅସ୍ତ୍ର ହୋଇପାରେ ।

ଏହି ଭାଇରସ କବଳରୁ ରକ୍ଷା ପାଇବା ପାଇଁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ଇନଫ୍ଲୁଏଞ୍ଜାର ଲକ୍ଷଣ ଅଧିକାଂଶ ରୋଗୀଙ୍କଠାରେ ଏକ ପ୍ରକାରର ଦେଖାଯାଉଛି । ରୋଗୀଙ୍କଠାରେ କାଶ, ଗଳା ସଂକ୍ରମଣ, ଶରୀର ଯନ୍ତ୍ରଣା, ନାକରେ ପାଣି ଆସିବା ଆଦି ଲକ୍ଷଣ ଦେଖାଯାଉଛି । ଏହି ଭାଇରସ୍ ସମୟ ସହିତ ମ୍ୟୁଟେଟ କରିଥାଏ । ସେହିପରି ଏହା ଏକ ନନ ହ୍ୟୁମାନ ଇନଫ୍ଲୁଏଞ୍ଜା ଭାଇରସ ହୋଇଥିବା ବେଳେ ସାଧାରଣ ଭାବେ ଏହା ଘୁଷୁରୀଙ୍କ ଠାରେ ବ୍ୟାପିଥାଏ ଓ ମଣିଷଙ୍କୁ ସଂକ୍ରମିତ କରିଥାଏ ବୋଲି ଆମେରିକାର ରୋଗ ନିୟନ୍ତ୍ରଣ ଓ ନିବାରଣ (ସିଡିସି) ପକ୍ଷରୁ କୁହାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।