You are currently viewing ୨୫ ଶହ କର୍ମଚାରୀ ଛଟେଇ ଘୋଷଣା

୨୫ ଶହ କର୍ମଚାରୀ ଛଟେଇ ଘୋଷଣା

ନୂଆଦିଲ୍ଲୀ(୨୫.୦୧.୨୩) : ବିଶ୍ୱସ୍ତରରେ ଛଟେଇ ଜାରି ରହିଛି । ମାଇକ୍ରୋସଫ୍ଟ ଓ ଗୁଗଲ ପରେ ଏବେ ବିଶ୍ୱର ଏକ ବଡ ଉତ୍ପାଦନ କମ୍ପାନୀ ୩ ଏମ ନିଜ କମ୍ପାନୀରୁ ୨୫ ଶହ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି ।   କମ୍ପାନୀର କମ୍ ଲାଭ ଓ ଆଗାମୀ ଦିନରେ କମ୍ ବିକ୍ରିକୁ ନଜରରେ ରଖି କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି । ୩ଏମ୍ କମ୍ପାନୀ ମାନୁଫେକ୍ଚରିଂ ସେକ୍ଟରରେ ଏକ ବଡ କମ୍ପାନୀ । ଏହି କମ୍ପାନୀ ଇଲେକ୍ଟ୍ରିକ୍ ଠାରୁ ଆରମ୍ଭ କରି ହେଲଥ ସେକ୍ଟର ପାଇଁ ଛୋଟ ବଡ ଅନେକ ସାମଗ୍ରୀ ପ୍ରସ୍ତୁତ କରିଥାଏ । ସେପଟେ କୋଭିଡ-୧୯ ମହାମାରୀ ସମୟରେ ଏହି କମ୍ପାନୀ ଲୋକଙ୍କ ପାଇଁ ମାସ୍କ ମଧ୍ୟ ପ୍ରସ୍ତୁତ କରୁଥିଲା । ଗତବର୍ଷ ଠାରୁ କମ୍ପାନୀର ଅନେକ ସାମଗ୍ରୀ ଯୋଗାଣ କମିବା ଆରମ୍ଭ କରିଥିଲା । ଏହାସହ ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ କାରଣରୁ ଏହି କମ୍ପାନୀ ବି ପ୍ରଭାବିତ ହୋଇଛି । ୨୦୨୨ର ଚତୁର୍ଥ ତୈମାସିକରେ କମ୍ପାନୀର ମୋଟ ଲାଭ ୧.୪ ବିଲିଅନ ଡଲାର ଥିବା ବେଳେ ଚଳିତ ତୈମାସିକରେ କମ୍ପାନୀର ମୋଟ ଲାଭ ୫୪୧ ମିଲିୟନ ଡଲାରକୁ ଖସିଆସିଛି । କମ୍ପାନୀର ମୋଟ ରାଜସ୍ୱ ମଧ୍ୟ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି ।କମ୍ପାନୀର ସିଇଓ ମାଇକ ରୋମନ କର୍ମଚାରୀ ଛଟେଇ ନେଇ ସୂଚନା ଦେବା ସହ କହିଛନ୍ତି କି ୨୦୨୩ରେ ଅନେକଗୁଡିଏ ଆର୍ଥିକ ସମସ୍ୟା ଦେଖାଦେବ । ଏହି କାରଣରୁ ମାର୍କେଟରେ କମ୍ପାନୀକୁ ବଞ୍ଚାଇ ରଖିବାକୁ ବିଶ୍ୱସ୍ତରରେ ୨୫୦୦ କର୍ମଚାରୀ ଛଟେଇ କରାଯିବ । ମାଇକ ରୋମନ କହିଛନ୍ତି କି କମ୍ପାନୀର କ୍ଷତି ଓ ଲାଭ ମଧ୍ୟରେ ସନ୍ତୋଳନ ରଖିବାକୁ କର୍ମଚାରୀ ଛଟେଇ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।