ନୂଆଦିଲ୍ଲୀ (୧୭.୧୦.୨୨) : ଥମୁନି ହିଜାବ ବିରୋଧୀ ବିକ୍ଷୋଭ । ଇରାନରେ ଦିନକୁ ଦିନ ଏହା ଉଗ୍ର ହେବାରେ ଲାଗିଛି । ଏହାରି ଭିତରେ ଇରାନ କୁଖ୍ୟାତ ଏଭିନ ଜେଲରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୪ ଜଣ କଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଅଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡ ସମୟର ଭିଜୁଆଲ ମଧ୍ୟ ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡ ସହ ଗୁଳିମାଡ ହୋଇଥିବା ମଧ୍ୟ ଜଣାପଡିଛି । ଇରାନ୍ର ରାଜଧାନୀ ତେହରାନ୍ରେ ଅଛି ଏହି କୁଖ୍ୟାତ ଜେଲ ।

ଯେଉଁଥିରେ ଅନେକ ରାଜନୈତିକ ନେତା ଏବଂ ସରକାର ବିରୋଧୀ କାର୍ଯ୍ୟକର୍ତ୍ତାଙ୍କୁ ରଖାଯାଇଛି । ହିଜାବ ବିବାଦ ଏବଂ ପୋଲିସ ହେପାଜତରେ ମହସା ଆମିନୀଙ୍କ ମୃତ୍ୟୁର ପାଞ୍ଚ ସପ୍ତାହ ପରେ ଏହି ଘଟଣା ସାମ୍ନାକୁ ଆସିଛି। ଇରାନ୍ର ଜଣେ ସାମ୍ବାଦିକ ନିଜ ଟ୍ୱିଟର୍ ଆକାଉଣ୍ଟରେ ଏହି ଘଟଣାର ପୂରା ଭିଡିଓକୁ ଶେଆର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି, ଏହି କୁଖ୍ୟାତ ଜେଲ୍ ଭିତରେ ନିଆଁ ଲାଗିଛି ।

ଗୁଳି ମାଡର ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି। କଏଦୀମାନଙ୍କ ଜୀବନ ବିପଦରେ ଅଛି। କଏଦୀମାନଙ୍କ ପରିବାର ଲୋକେ ଭୟଭୀତ ହୋଇପଡିଛନ୍ତି।