ମୁଙ୍ଗେର (୧୪.୧୦.୨୨) : ଯେଉଁଠି ଇଚ୍ଛାଶକ୍ତି ସେଠାରେ ହାର ମାନେ ସମସ୍ତ ପରିସ୍ଥିତି । ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ୪୨ ବର୍ଷୀୟ ବ୍ୟକ୍ତି । ଏହି ବ୍ୟକ୍ତି ଜଣଙ୍କ ଯେଉଁ ବିଶ୍ୱବିଦ୍ୟାଳୟରେ ପ୍ରାୟ ୨୦ ବର୍ଷ ହେବ ପିଅନ ଓ ରାତ୍ରି ଜଗୁଆଳି ଭାବରେ କାମ କରୁଥିଲେ ଆଜି ସେ ସେହି ସ୍ଥାନରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ପାଇଛନ୍ତି । କାହାର ଦୟା କିମ୍ବା ସୁପାରିସ ବଳରେ ନୁହେଁ । ବରଂ ସେ କଠିନ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଏପରି ସଫଳତା ହାସଲ କରିଛନ୍ତି । ସେହିପରି ରାତା ରାତି ସେ ସଫଳତା ପାଇ ନାହାନ୍ତି । ସଫଳତା ପାଇବା ପାଇଁ ସେ ଅନେକ ଘାତ ପ୍ରତି ଘାତ ଦେଇ ଗତି କରିଛନ୍ତି । ଦର୍ଘ ବର୍ଷ ପରେ ସେ ସଫଳତାର ସ୍ୱାଦ ଚାଖିଛନ୍ତି । ଏବେ ଏହି ବ୍ୟକ୍ତିଙ୍କର ସଫଳତାର କାହାଣୀ ଅଧିକ ଲୋକଙ୍କ ପ୍ରେରଣାର କାହାଣୀ ପାଲଟିଛି । ସଫଳତା ହାସଲ କରିଥିବା ଜଣେ ବ୍ୟକ୍ତି ହେଉଛନ୍ତି ୪୨ ବର୍ଷୀୟ କମଳ କିଶୋର ମଣ୍ଡଳ । ତାଙ୍କ ଘର ବିହାର ଭାଗଲପୁର ସହରର ମୁଣ୍ଡଛକ ଅଞ୍ଚଳରେ । ୨୦୦୩ ମସିହାରେ କମଳ କିଶୋରଙ୍କୁ ଯେତେବେଳେ ୨୩ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ମୁଙ୍ଗେର ସ୍ଥିତ ଆରଡି ଆଣ୍ଡ ଡିଜେ କଲେଜରେ ରାତ୍ରି ଜଗୁଆଳ ଭାବେ କାମ ଆମ୍ଭ କରିଥିଲେ ।

ଏହି ସମୟରେ ସେ ରାଜନୀତି ବିଜ୍ଞାନରେ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରି ସାରିଥିଲେ। ଆଗକୁ ପଢ଼ିବାକୁ ଇଚ୍ଛାଥିଲା ମଧ୍ୟ ଆର୍ଥିକ ଅନଟନ ତାଙ୍କୁ ଚାକିରି କରିବାକୁ ବାଧ୍ୟ କରିଥିଲା। ତେବେ ରାତ୍ରି ଜଗୁଆଳି ଭାବେ କାମ କରିବାର ମାସକ ପରେ କମଳ କିଶୋରଙ୍କୁ ତିଲକ ମାଞ୍ଝୀ ଭାଗଲପୁର ବିଶ୍ୱବିଦ୍ୟାଳୟର ଆମ୍ବେଦର ଚିନ୍ତାଧାରା ଓ ସାମାଜିକ କାର୍ଯ୍ୟ ବିଭାଗ(ପୋଷ୍ଟ ଗ୍ରାଜ୍ୟୁଏଟ)କୁ ବଦଳି କରାଯାଇଥିଲା। ଏହି ବଦଳି ବା ଡେପୁଟେସନ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ଏଠାରେ ରାତ୍ରି ଜଗୁଆଳି ଭାବେ କାମ କରିବା ସହ ସେ ପାଠ ମଧ୍ୟ ପଢ଼ିବା ଆରମ୍ଭ କରିଥିଲେ। ୨୦୦୮ରେ ତାଙ୍କୁ ରାତ୍ରି ଜଗୁଆଳିରୁ ପ୍ରମୋସନ ମିଳି ପିଅନ ପଦରେ ନିଯୁକ୍ତି ଦିଆଯାଇଥିଲା।

ବିଶ୍ୱବିଦ୍ୟାଳୟକୁ ପିଲାମାନେ ପାଠପଢ଼ିବାକୁ ଆସୁଥିବା ଦେଖି ସେ ମଧ୍ୟ ଶିକ୍ଷାଲାଭ କରିବାକୁ ଆଗ୍ରହ ଦେଖାଇଥିଲେ। ଏଥିସହ ପାଠ ମଧ୍ୟ ପଢ଼ିଥିଲେ।

୨୦୦୯ରେ ଏମଏ ସରିବା ପରେ ସେ ପିଏଚ୍ଡି କରିବାକୁ ଅନୁମତି ମାଗିଥିଲେ। କିନ୍ତୁ ବିଭାଗ ୩ ବର୍ଷ ପରେ ଏଥିପାଇଁ ଅନୁମତି ଦେଇଥିଲା। ୨୦୧୨ରେ ଅନୁମତି ମିଳିବା ପରେ ସେ ୨୦୧୩ରେ ପିଏଚ୍ଡି ପାଇଁ ପଞ୍ଜିକରଣ କରିଥିଲେ। ୨୦୧୭ରେ ସେ ଥେସିସି ଦାଖଲ କରିଥିଲେ। ୨୦୧୯ରେ ତାଙ୍କୁ ପିଏଚଡି ଡିଗ୍ରୀରେ ଭୂଷିତ କରାଯାଇଥିଲା।

ଏସବୁ ଭିତରେ ସେ ଏନଇଟିରେ କୃର୍ତ୍ତକାର୍ଯ୍ୟ ହୋଇ ଶିକ୍ଷକତା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ଓ ଚାକିରି ପାଇଁ ଅପେକ୍ଷା କରି ରହିଥିଲେ। ତେବେ ଏହି ଅପେକ୍ଷାର ଅନ୍ତ ୨୦୨୦ରେ ହୋଇଥିଲା। ବିହାର ରାଜ୍ୟ ବିଶ୍ୱବିଦ୍ୟାଳୟ ସେବା କମିଶନ ୪ଟି ଆସିଷ୍ଟାଣ୍ଡ ପ୍ରଫେସର ପଦ ପାଇଁ ବିଜ୍ଞାପନ ଦେଇଥିଲା। ଆବେଦନ ପରେ ୧୨ ଜଣ ଆଶାୟୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକା ଯାଇଥିଲା। ଇଣ୍ଟରଭ୍ୟୁ ପରେ କମଳ କିଶୋରଙ୍କୁ କର୍ତ୍ତୃପକ୍ଷ ଆମ୍ବେଦକର ଚିନ୍ତାଧାରା ଓ ସାମାଜିକ କାର୍ଯ୍ୟର ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଚୟନ କରିଛନ୍ତି।

ଏହି ବିଭାଗରେ ସେ ଦିନେ ପିଅନ ଭାବେ କାମ କରୁଥିଲା। ଚୟନ ପ୍ରକ୍ରିୟାର ରେଜଲ୍ଟ ୨୦୨୨ ମେ’ ୧୯ରେ ରେଜଲ୍ଟ ପ୍ରକାଶ ପାଇଥିଲା। କମଳ କିଶୋରଙ୍କ ନାଁ ଥିବାରୁ ସେ ଖୁସିରେ ନାଚି ଉଠିଛନ୍ତି। ଏବେ ସେ ୬୫ ବର୍ଷ ବୟସ ଯାଏ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରିପାରିବେ।