You are currently viewing ଶାକହାରୀ କୁମ୍ଭୀରର ମୃତ୍ୟୁ

ଶାକହାରୀ କୁମ୍ଭୀରର ମୃତ୍ୟୁ

କେରଳ(୧୧.୧୦.୨୨) : କେରଳ ଶ୍ରୀଅନନ୍ତପଦ୍ମନାଭ ସ୍ୱାମୀ ମନ୍ଦିରରେ ଥିବା କୁମ୍ଭୀର ବାବିୟାର ମୃତ୍ୟୁ ହୋଇଛି । କାସରଗୋଡ ଜିଲ୍ଲା ରେ ଅବସ୍ଥିତ ଏହି ମନ୍ଦିର ପୋଖରୀରେ ଏକମାତ୍ର କୁମ୍ଭୀର ରୂପେ ତାହା ବାସ କରୁଥିଲା । ଗତ ରବିବାର ଏହାର ମୃତ୍ୟୁ ହୋଇଛି । ସେ ସାକାହାରୀ କୁମ୍ଭୀର ଥିଲା । ସେ ଗତ ଶନିବାର ଠାରୁ ନିଖୋଜ ଥିଲା ।

ରବିବାର ରାତିରେ ତା’ର ଶବ ପୋଖରୀରେ ଭାସୁଥିବା ମନ୍ଦିର କର୍ମକର୍ତ୍ତାମାନେ ଦେଖିବାକୁ ପାଇଥିଲେ । ଏହି ଖବର ପ୍ରସାରିତ ହେବା ପରେ ଶତାଧିକ ଲୋକ ଶାକାହାରୀ କୁମ୍ଭୀରର ଶେଷ ଦର୍ଶନ କରି ତା’ ପ୍ରତି ସମ୍ମାନ ଜଣାଇଥିଲେ । ମନ୍ଦିର କର୍ମକର୍ତ୍ତାଙ୍କ ଦାବି, କୁମ୍ଭୀର ବାବିୟା କେବଳ ମନ୍ଦିରରେ ପ୍ରସ୍ତୁତ ପ୍ରସାଦ ଖାଉଥିଲା । ପୋଖରୀରେ ଥିବା ମାଛ ସେ ଆଦୌ ଖାଉନଥିଲା । ମନ୍ଦିରର ସମସ୍ତ ସ୍ଥାନକୁ ତା’ର ଅବାଧ ପ୍ରବେଶ ଥିଲା ।

ଅନେକ ସମୟରେ ଏହା ସୂର୍ଯ୍ୟ କିରଣ ପାଇବାକୁ ବାହାରକୁ ଆସି ବୁଲୁଥିଲା । ବାବିୟା ୭୦ ବର୍ଷ ଧରି ମନ୍ଦିରରେ ଥିଲା ବୋଲି ତା’ର ଶେଷ ଦର୍ଶନରେ ପହଞ୍ଚିଥିବା କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ରାଜ୍ୟ ମନ୍ତ୍ରୀ ଶୋଭା କରନ୍‌ଦଲାଜେ ଟ୍ୱିଟ୍‌ କରିଛନ୍ତି । ତା’ର ଆତ୍ମାର ସଦ୍‌ଗତି କାମନା କରି ସେ କହିଛନ୍ତି, ଶ୍ରୀ ଅନନ୍ତପଦ୍ମନାଭ ସ୍ୱାମୀ ମନ୍ଦିରରେ ପ୍ରସ୍ତୁତ ଅନ୍ନ ଓ ଗୁଡ଼ ପ୍ରସାଦ ଖାଇବାକୁ ସେ ଭଲ ପାଉଥିଲା । ଲୋକଙ୍କ ଦାବି ଯେ ଆଜି ପର୍ଯ୍ୟନ୍ତ ଏହି କୁମ୍ଭୀର କାହାର କୌଣସି କ୍ଷତି କରିନାହିଁ । ୧୯୪୫ ମସିହାରେ ଜଣେ ବ୍ରିଟିଶ ସୈନ୍ୟ ଅନ୍ୟ ଏକ କୁମ୍ଭୀରକୁ ଗୁଳି କରିବାର କିଛି ଦିନ ପରେ ମନ୍ଦିର ପୋଖରୀରେ ବାବିୟା କୁମ୍ଭୀର ଦେଖିବାକୁ ମିଳିଥିଲା ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ।  

ଅନ୍ୟମାନଙ୍କୁ ଜଣାନ୍ତୁ।