ନ୍ୟୁଜିଲାଣ୍ଡରେ ଭୁମିକମ୍ପ

ନ୍ୟୁଜିଲାଣ୍ଡ (୧୬.୩.୨୩) :   ଭୀଷଣ ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ପ୍ରଶାନ୍ତ ମହାସାଗରରେ ନ୍ୟୁଜିଲାଣ୍ଡର ଉତ୍ତରରେ ଥିବା କେର୍ମାଡେକ୍ ଦ୍ୱୀପପୁଞ୍ଜ ନିକଟରେ ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ କେନ୍ଦ୍ରଭୂତ ହୋଇଛି। ଏହାପରେ ସମୁଦ୍ରରେ ବଡ ଧରଣର ଲହରୀ ଉଠୁଥିବାରୁ ଉପକୂଳ ଅଞ୍ଚଳରେ ସୁନାମୀ ଆଲର୍ଟ ଜାରୀ ହୋଇଛି । ଗୁରୁବାର ସ୍ଥାନୀୟ ସମୟ ଅପରାହ୍ନ ୧ଟା ୫୬ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ କେର୍ମାଡେକ୍ ଦ୍ୱୀପପୁଞ୍ଜର ସବୁଠାରୁ ବଡ଼ ରାଉଲ ଦ୍ୱୀପଠାରୁ ପ୍ରାୟ ୧୯୫ କିଲୋମିଟର ଦକ୍ଷିଣ-ପୂର୍ବରେ ବା ଅକଲାଣ୍ଡଠାରୁ ୧,୧୨୫ କିଲୋମିଟର ଉତ୍ତର-ପୂର୍ବରେ ହୋଇଥିବା ଜଣାପଡିଛି । ୟୁଏସ୍ ଜିଓଲୋଜିକାଲ ସର୍ଭେ କହିଛି ଯେ, ଭୂକମ୍ପର ପ୍ରାରମ୍ଭିକ ତୀବ୍ରତା ୭.୦ ଥିଲା । ସମୁଦ୍ର ପତନଠାରୁ ପ୍ରାୟ ୨୨ କିଲୋମିଟର ତଳକୁ ଭୂମିକମ୍ପ ଅନୁଭୂତ ହେବାରୁ ସମୁଦ୍ରରେ ଲହରୀ ଆସୁଛି। ଏହାର କିଛି ସମୟ ପରେ କେର୍ମାଡେକ୍ ଦ୍ୱୀପପୁଞ୍ଜ, ଫିଜି, ନ୍ୟୁଜିଲାଣ୍ଡ ଏବଂ ଟଙ୍ଗା ପାଇଁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି । ପ୍ରଶାନ୍ତ ମହାସାଗରୀୟ ସୁନାମୀ ଚେତାବନୀ କେନ୍ଦ୍ର କହିଛି ଯେ ରାଉଳ ଦ୍ୱୀପର ଦୁଇଟି ସ୍ଥାନରେ ସୁନାମିର ଅତି କ୍ଷୁଦ୍ର ଲହର ଦେଖିବାକୁ ମିଳିଛି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଭୂମିକମ୍ପ ନିକଟବର୍ତ୍ତୀ କେତେକ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ।ତେବେ ଏନେଇ କୌଣସି ଧନଜୀବନର କ୍ଷୟକ୍ଷତି ବାବଦରେ ଏଯାଏଁ କୌଣସି ସୂଚନା ମିଳିପାରିନାହିଁ । ଏହା ପୂର୍ବରୁ ୨୦୧୯ ଜୁନ୍ ମାସରେ ରାଉଳ ଦ୍ୱୀପରେ ୭.୨ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଏକ କ୍ଷୁଦ୍ର ସୁନାମି ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.