ଲକ୍ଷ୍ନୌ, ବାଣ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣରେ ୫ ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି ଏବଂ ୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଭଳି ଏକ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ବିଜନୋର ଜିଲ୍ଲା ବକ୍ସିବାଲା ଅଞ୍ଚଳରେ ।
ସୂଚନା ଅନୁସାରେ ଆଜି ଅପରାହ୍ନ ଗୋଟାଏ ସମୟରେ କାରଖାନାରେ ହଠାତ୍ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ସମୟରେ ବାଣ କାରଖାନାରେ ପ୍ରାୟ ୯ ଜଣ ଶ୍ରମିକ କାମ କରୁଥିଲେ । ନିଆଁ ଲାଗିବା ସମୟରେ କାରଖାନାର ବାହାର ପଟୁ ତାଲା ପଡିଥିଲା । ଯେଉଁ କାରଣରୁ ଶ୍ରମିକ ମାନେ ବାହାରକୁ ଆସିପାରିନଥିଲେ । ଫଳରେ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ବାଣ କାରଖାନାଟି ବେଆଇନ ଭାବେ ଚାଲିଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଥିବାବେଳେ ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛି ।