ଚର୍ଚ୍ଚାରେ ଇଡଲି ଏଟିଏମ

ବେଙ୍ଗାଲୁର (୧୫.୧୦.୨୨) : ଏଟିଏମ କଥା ଶୁଣିଲେ ସମସ୍ତେ ଟଙ୍କା କଥା ଚିନ୍ତା କରନ୍ତି। ହେଲେ ଏବେ ଚର୍ଚ୍ଚାକୁ ଆସିଛି ଇଡ୍‌ଲି ଏଟିଏମ। ଦକ୍ଷିଣ ଭାରତର ସବୁଠାରୁ ପସନ୍ଦର ଖାଦ୍ୟ ଇଡ୍‌ଲି ଏଟିଏମରୁ ବାହାରୁଛି। ଆପଣ ଟଙ୍କା ଦେଲେ, ମାତ୍ର କିଛି ସେକେଣ୍ଡ ମଧ୍ୟରେ ଗରମାଗରମ ଇଡ୍‌ଲି, ସମ୍ବର କିମ୍ବା ଚଟନୀର ମଜା ଆପଣମାନେ ପାଇପାରିବେ। ବିନା କୌଣସି କଣ୍ଟାକ୍ଟରେ ଭଲ ଭାବେ ପ୍ୟାକିଂ ସହ ଏଟିଏମରୁ ଇଡ୍‌ଲି ବାହାରୁଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଏହି କଣ୍ଟାକ୍ଟଲେସ୍‌ ଇଡ୍‌ଲି ତିଆରି ମେସିନକୁ ଷ୍ଟାର୍ଟଅପ Freshup Robotics ପକ୍ଷରୁ ପ୍ରସ୍ତୁତ କରାଯାଇଛି। ବେଙ୍ଗାଲୁରୁ ଭିତ୍ତିକ ଉଦ୍ୟୋଗୀ ଶାରନ ହିରେମତ ଓ ସୁରେଶ ଚନ୍ଦ୍ରଶେଖରନ ମିଳିତ ଭାବେ ଏହି ଅଭିନବ ଏଟିଏମ ମେସିନକୁ ବାହାର କରିଛନ୍ତି।

Freshotରେ ଲାଗିଥିବା ଏଟିଏମରୁ ୨୪ ଘଣ୍ଟା ଇଡ୍‌ଲି ଲୋକଙ୍କୁ ମିଳୁଛି। ଏହି ମେସିନ ମାତ୍ର ୧୨ ମିନିଟ୍‌ରେ ୭୨ଟି ଇଡ୍‌ଲି ଲୋକଙ୍କୁ ଦେଇପାରିବାର କ୍ଷମତା ରଖିଛି। ମେସିନରୁ ଆପଣ ଇଡ୍‌ଲି ସହ ଖାଇବା ପାଇଁ ପୋଦି ଓ ଚଟନୀ ମଧ୍ୟ ପାଇପାରିବେ। ସବୁ କିଛି ସ୍ୱଂୟଚାଳିତ ମେସିନ ଦ୍ୱାରା ପ୍ରସ୍ତୁତ ହେଉଛି। ଏଥିରେ କେହି ବି ହାତ ଲଗାଉ ନାହାନ୍ତି।

 ଏଟିଏମରୁ ଇଡ୍‌ଲି ବାହାର କରିବା ବେଶ ସହଜ। ଆପଣଙ୍କୁ କେବଳ କ୍ୟୁଆର କୋଡ ସ୍କାନ କରିବା ପରେ ମେନ୍ୟୁ ଚାର୍ଟ ଆସିବ। ଏହି ମେନ୍ୟୁ ଅନୁସାରେ ଆପଣ ଅର୍ଡର ଦେବା ପରେ ପେମେଣ୍ଟ କରିବେ। ଅର୍ଡରର ୫୫ ସେକେଣ୍ଡ ମଧ୍ୟରେ ପ୍ୟାକେଟରେ ଆପଣଙ୍କ ପାଖକୁ ଗରମାଗରମ ଇଡ୍‌ଲି ପହଞ୍ଚି ଯିବ।

ସାମ୍ନାକୁ ଆସିଥିବା ଭିଡିଓରେ ଜଣେ ଯୁବତୀ ଏଟିଏମ ଭଳି ଦିଶୁଥିବା ମେସିନ ଦ୍ୱାରା ଇଡ୍‌ଲି ଅର୍ଡର କରୁଛନ୍ତି। ମହିଳା ଜଣଙ୍କ ମେନ୍ୟୁର କ୍ୟୁଆର କୋଡ୍‌ ସ୍କାନ କରି ନିଜ ପସନ୍ଦର ଖାଇବା ବାଛିଥିଲେ। ଅର୍ଡର ଦେବା ପୂର୍ବରୁ ସେ ଗୋଟିଏ ଟୋକନ ନମ୍ବର ହାସଲ କରିଥିଲେ। ପେମେଣ୍ଟ ହୋଇଗଲା ପରେ ଯୁବତୀ ଜଣଙ୍କ ଏହାକୁ ପୁଣି ସ୍କାନ କରିଥିଲେ। ଏହାପରେ ତାଙ୍କ ଅର୍ଡର ଅନୁସାରେ ଇଡ୍‌ଲି ତିଆରି ହୋଇଥିଲା।

Leave A Reply

Your email address will not be published.