ମହାକାଳ ଲୋକ କରିଡର ଲୋକାର୍ପଣ କଲେ ପ୍ରଧାନ ମନ୍ତ୍ରୀ

ଉଜ୍ଜୈନ (୧୨.୧୦.୨୨) : ମଧ୍ୟପ୍ରଦେଶର ମହାକାଳ ନଗରୀ ଉଜ୍ଜୈନ । ଦିବ୍ୟ ରୂପରେ ଆତ୍ମପ୍ରକାଶ କରିଛି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ । ସୌନ୍ଦର୍ଯ୍ୟ ଦେଖି ଲାଖି ଯାଉଛି ଆଖି । ଆଜି ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ମହାକାଳ ଲୋକ କରିଡରର ଲୋକାର୍ପଣ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ହୋଇଛି ଭବ୍ୟ ଉତ୍ସବର ଆୟୋଜନ । ସ୍ୱତନ୍ତ୍ର ଭାବେ ସଜ୍ଜିତ କରାଯାଇଛି ମହାକାଳେଶ୍ୱର ମନ୍ଦିରକୁ । ପ୍ରାୟ ୫୦ ହେକ୍ଟର ଜମିରେ ନିର୍ମାଣ ହୋଇଛି ଏହି ସୌନ୍ଦର୍ଯମୟ କରିଡର । ପ୍ରକଳ୍ପ ଅନ୍ତର୍ଗତ ମନ୍ଦିର ପରିସରକୁ ସାତ ଗୁଣା ବିସ୍ତାର କରାଯାଇଛି । ନନ୍ଦି ଦ୍ୱାରରୁ ମୁଖ୍ୟ ମନ୍ଦିରର ଗର୍ଭଗୃହର ଦୂରତା ପ୍ରାୟ ୯ ଶହ ମିଟର ।

କରିଡର ମଧ୍ୟରେ ମହାଦେବଙ୍କ ଉତ୍ପତ୍ତି ଓ ରହସ୍ୟକୁ ନେଇ ୨ ଶହରୁ ଅଧିକ ଦେବାଦେବୀଙ୍କ ମୂର୍ତ୍ତି ନିର୍ମାଣ ହୋଇଛି। କରିଡରର ଠିକ୍ ମଝିରେ ରହିଛି ପୌରାଣିକ କଥାବସ୍ତୁ ସମୁଦ୍ର ମନ୍ଥନ ଉପରେ ଆଧାରିତ କଳାକୃତି। ପ୍ରକଳ୍ପରେ ମୋଟ ୮୫୦ କୋଟି ଟଙ୍କା ନିବେଶ କରାଯାଉଛି।

ମହାଦେବଙ୍କ ପୀଠର ଏହି ଦିବ୍ୟ ତଥା ଭବ୍ୟ ରୂପକୁ ଦେଖି ଶିବମୟ ମହାକାଳଲୋକ। ଶିବ ପୂରାଣର ବିଭିନ୍ନ କଥା, ବିଭିନ୍ନ ଗାଥା ଖୋଦିତ ହୋଇଛି ମହାକାଳେଶ୍ୱର କରିଡରର ପ୍ରତିଟି କୋଣ ଅନୁକୋଣରେ।

କେଉଁଠି ଶିବଙ୍କ ତାଣ୍ଡବ ତ ଆଉ କେଉଁଠି ମହାଦେବଙ୍କ ଅସୁର ସଂହାରକ ରୂପ ଶୋଭା ବଢ଼ାଉଛି। କମଳ କୁଣ୍ଡ ବା ପଦ୍ମ ପୁଷ୍କରିଣୀରେ ଧ୍ୟାନରତ ଆଦିଯୋଗୀଙ୍କ ବିଶାଳ ମୂର୍ତ୍ତି, ତା’ ସାଙ୍ଗକୁ ସୁଉଚ୍ଚ ଶିବସ୍ତମ୍ଭ। ୯ଶହ ମିଟର କରିଡର୍ କଡ଼େକଡ଼େ କାରୁକାର୍ଯ୍ୟ ପୂର୍ଣ୍ଣ ୧୦୮ଟି ତ୍ରିଶୂଳ ସ୍ତମ୍ଭ ରହିଛି।  

Leave A Reply

Your email address will not be published.