ବୁଡା ଡ୍ରୋନ ପରୀକ୍ଷା କଲା ଉତ୍ତର କୋରିଆ

ନୂଆଦିଲ୍ଲୀ (୨୪.୩.୨୩) :   ଉତ୍ତର କୋରିଆ ‘ତେଜଷ୍କ୍ରିୟ ବିକିରଣ ସୁନାମୀ’ ସୃଷ୍ଟି କରିବା ଭଳି ସାମର୍ଥ୍ୟ ଥିବା ଆଣବିକ ଅସ୍ତ୍ର ପ୍ରୟୋଗକାରୀ ‘ବୁଡ଼ା-ଡ୍ରୋନ୍‌’ ପରୀକ୍ଷା କରିଥିବା କଥା ଆଜି ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ରିପୋର୍ଟ କରିଛି। ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ମିତ୍ରରାଷ୍ଟ୍ରଙ୍କ ଉପରେ ଆକ୍ରମଣ ଉଦ୍ଦେଶ୍ୟରେ ନିର୍ମିତ ଏହି ‘ବୁଡ଼ା-ଡ୍ରୋନ୍‌’ର ବ୍ୟବହାରିକ ପରୀକ୍ଷଣ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଇଥିଲା। ଏହି ଯୁଦ୍ଧାସ୍ତ୍ର ଡ୍ରୋନ୍‌ ପାଣିରେ ବୁଡ଼ି ବୁଡ଼ି ଯୁଦ୍ଧପୋତ ଆଦି ଥିବା ଅଞ୍ଚଳକୁ ପ୍ରବେଶ କରି ଶତ୍ରୁପକ୍ଷର ଯୁଦ୍ଧପୋତକୁ ଚିହ୍ନଟ କରିବା ସହ ବିସ୍ଫୋରଣ କରି ନଷ୍ଟ କରିଦେବ। ଜଳରାଶିରେ ଏହି ଆଣବିକ ବିସ୍ଫୋରଣ ଯୋଗୁଁ ଅତି ପ୍ରବଳ ‘ତେଜଷ୍କ୍ରିୟ ବିକିରଣ ସୁନାମୀ ସୃଷ୍ଟି ହେବ। ଗୁରୁବାର ଦିନ ଉତ୍ତର କୋରିଆର ପୂର୍ବ ଉପକୂଳ ଅନ୍ତର୍ଗତ ଦୂର ଜଳରାଶି ମଧ୍ୟରେ ‘ହୈଲି’ ବା ‘ସୁନାମି’ ନାମରେ ଖ୍ୟାତ ଏହି ନୂତନ ‘ବୁଡ଼ା-ଡ୍ରୋନ୍‌’ର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା। ଜଳରାଶିର ୨୬୦ରୁ ୫୦୦ ଫୁଟ୍‌ ଗଭୀରରେ ଏହି ‘ବୁଡ଼ା-ଡ୍ରୋନ୍‌’ ୫୯ ଘଣ୍ଟାରୁ ଅଧିକ ସମୟ ଘୂରିବୁଲିବା ପରେ ବିସ୍ଫୋରଣ ହୋଇଥିଲା ବୋଲି ‘କେସିଏନ୍‌ସି’ କହିଛି। ଏହି ‘ବୁଡ଼ା-ଡ୍ରୋନ୍‌’କୁ ଯେକୌଣସି ସମୁଦ୍ର ଉପକୂଳ ଓ ବନ୍ଦରରେ ମୁତୟନ କରାଯାଇପାରିବ। ଏହାଛଡ଼ା, ପାଣିଜାହାଜ ଦ୍ୱାରା ଏହାକୁ ଟାଣି ଟାଣି ଗଭୀର ସମୁଦ୍ର ମଧ୍ୟକୁ ବି ନିଆଯାଇ ପାରିବ।

Leave A Reply

Your email address will not be published.