You are currently viewing ଆଜିଠୁ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ

ଆଜିଠୁ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା ୨୨ତାରିଖ ଯାଏ ଚାଲିବ ଏହି ଅଧିବେଶନ। ଏହି ଅବସରରେ ସରକାର ଲୋକଙ୍କୁ ଚକିତ କରିବା ଭଳି କୌଣସି ଘୋଷଣା କରିବେ କିମ୍ବା ବିଲ୍‌ ଆଗତ କରିବେ କି ନାହିଁ ତାହାକୁ ନେଇ ‌ସାଧାରଣରେ ଚର୍ଚ୍ଚା ଜାରି ରହିଛି।

ପ୍ରଥମ ଦିନ ଅର୍ଥାତ ଆଜି ସମ୍ବିଧାନ ସଭାଠାରୁ ଆରମ୍ଭ କରି ସଂସଦର ୭୫ ବର୍ଷ ଯାତ୍ରା ଉପରେ ଆଲୋଚନା କରାଯିବ। ଆଜି ପୁରୁଣା ସଂସଦ ଭବନରେ ଅଧିବେଶନ ହେବା ବେଳେ ଆସନ୍ତା କାଲିଠୁ ଗଣେଶ ପୂଜାରେ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ। ଏହି ସ୍ୱତନ୍ତ୍ର ଅଧିବେଶନରେ ସରକାର ୮ଟି ବିଲ ଉପସ୍ଥାପନ କରିପାରନ୍ତି।

ତେବେ ବିରୋଧୀ ଦଳ ଅଭିଯୋଗ କରିଛନ୍ତି କି ସରକାର ଏହି ସ୍ୱତନ୍ତ୍ର ଅଧିବେଶନ ପାଇଁ କିଛି ଗୋପନ ଏଜେଣ୍ଡା ବା ପ୍ରସଙ୍ଗ ରଖିଛନ୍ତି । ନଚେତ ବର୍ତ୍ତମାନ ଏଭଳି ସ୍ୱତନ୍ତ୍ର ଅଧିବେଶନର ଆବଶ୍ୟକତା ନଥିଲା । ଗତ କିଛିଦିନ ହେଲା ଚର୍ଚ୍ଚା ଚାଲିଛି କି ସରକାର ଏହି ସ୍ୱତନ୍ତ୍ର ଅଧିବେଶନରେ ଏକ ଦେଶ-ଏକ ନିର୍ବାଚନ ବିଲ୍‌ ଆଣିପାରନ୍ତି । ଦେଶରେ ଏକ ସମୟରେ ସଂସଦ, ବିଧାନସଭା, ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ କରିବା ଲାଗି ସରକାର ବିଚାର କରୁଛନ୍ତି । ସେଥିପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ୮ ଜଣିଆ ଟିମ୍‌ ଗଠନ କରାଯାଇଛି । ଏହି କମିଟିର ପ୍ରଥମ ବୈଠକ ଆସନ୍ତା ୨୩ରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।