ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ପ୍ରତିରକ୍ଷା ପ୍ରକଳ୍ପକୁ ଶୁକ୍ରବାର ମଞ୍ଜୁରି ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ଵରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ୪୫ ହଜାର କୋଟି ଟଙ୍କାର କ୍ରୟ ପ୍ରସ୍ତାବ ଅନୁମୋଦିତ ହୋଇଛି। ଭାରତରେ ରୁଷର ସୁଖୋଇ-୩୦ ଏମ୍ଆଇ ଫାଇଟର୍ ଜେଟ୍ ବିମାନ ନିର୍ମାଣ ପ୍ରସ୍ତାବକୁ ମଧ୍ଯ ମଞ୍ଜୁରି ଦିଆଯାଇଛି । ଏହି ପ୍ରକଳ୍ପରେ ଖର୍ଚ୍ଚ ହେବ ୧୧ ହଜାର କୋଟି ଟଙ୍କା। ସୁଖୋଇ ସିରିଜ୍ର ଏହି ବିମାନ ନିର୍ମାଣ କରିବ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ।
ଏହି ପ୍ରତିରକ୍ଷା ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆ ପ୍ରୋଜେକ୍ଟ ଉପରେ ଆଧାରିତ ହେବ। ସୁଖୋଇ- ୩୦ ନାମ ସହ ସଂଯୁକ୍ତ ‘ଏମ୍ଆଇ’ର ପୂର୍ଣ୍ଣ ରୂପ ହେଉଛି ମଲ୍ଟିରୋଲ୍-କେ ଇଣ୍ଡିଆ। ଏହି ବିମାନରେ ଅତ୍ୟାଧୁନିକ ପ୍ରଯୁକ୍ତି ପ୍ରୟୋଗ କରାଯିବ। ଋଷୀୟ ଢାଞ୍ଚାରେ ନିର୍ମିତ ହେଲେ ହେଁ ଏଥରେ ଭାରତୀୟ ଯୁଦ୍ଧାସ୍ତ୍ର ଖଞ୍ଜିବା ବ୍ୟବସ୍ଥା ରହିବ। ବିମାନରେ ପାଇଲଟ, କୋ-ପାଇଲଟ୍, ୱିପନ୍ ସିଷ୍ଟମ୍ ଅଫିସର୍ ଯାତ୍ରା କରିପାରିବେ। ଯୁଦ୍ଧ ବିମାନ ସହ ଗ୍ରାଉଣ୍ଡ ସିଷ୍ଟମ୍ ମଧ୍ୟ ନିର୍ମିତ ହେବ।