ନୂଆଦିଲ୍ଲୀ (୧୩.୧୦.୨୨) : କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟରେ ହୋଇପାରିଲାନି ଶୁଣାଣି । ୨ ଜଣିଆ ଖଣ୍ଡପୀଠଙ୍କ ଭିନ୍ନ ମତ ହେତୁ ମାମଲା ବଡ ବେଞ୍ଚକୁ ଯାଇଛି । ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠକୁ ଏହି ମାମଲା ହସ୍ତାନ୍ତର କରାଯାଇଛି ।

ବର୍ତ୍ତମାନ ସର୍ବସମ୍ମତି କ୍ରମେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏହା ଉପରେ ନିଷ୍ପତି ନେବେ । ଗୁରୁବାର ଦିନ ଜଷ୍ଟିସ ହେମନ୍ତ ଗୁପ୍ତା ତାଙ୍କ ରାୟ ଦେବା ବେଳେ କର୍ଣ୍ଣାଟକ ସରକାରଙ୍କ ହିଜାବକୁ ନିଷିଦ୍ଧ କରିବା ନିଷ୍ପତ୍ତିକୁ ଭୁଲ ବୋଲି ପ୍ରମାଣ କରିଥିଲେ । ଏଭଳି ସ୍ଥିତିରେ ଦୁଇ ବିଚାରପତିଙ୍କ ଭିନ୍ନ ନିଷ୍ପତି ଯୋଗୁଁ ମାମଲାର ଶୁଣାଣି ହୋଇପାରିନି ।

କର୍ଣ୍ଣାଟକର ବିଭିନ୍ନ ସ୍କୁଲ ଓ କଲେଜରେ ହିଜାବ ବ୍ୟାନ ମାମଲାରେ ଆଜି ସୁପ୍ରିମକୋର୍ଟରେ ରାୟ ଆସିବାରେ ଥିଲା । ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ନେଇ ବିବାଦ ଲାଗି ରହିଛି । ପ୍ରଥମେ ଗୋଟିଏ ସ୍ଥାନରୁ ଆରମ୍ଭ ହୋଇଥିବା ବିରୋଧ ପ୍ରଦର୍ଶନ ପରେ କର୍ଣ୍ଣାଟକରେ ବିଭିନ୍ନ ସ୍ଥାନକୁ ବ୍ୟାପୀ ଯାଇଥିଲା ।

ଏହା ପରେ ଜାତୀୟ ପ୍ରସଙ୍ଗ ପାଲଟି ଯାଇଥିଲା । ସୁପ୍ରିମକୋର୍ଟରେ ଲଗାତାର ୧୦ ଦିନ ଧରି ଏହି ମାମଲାର ଶୁଣାଣି ହୋଇଥିଲା । ସେପ୍ଟେମ୍ବର ୨୨ରେ ରାୟ ସଂରକ୍ଷିତ ରଖାଯାଇଥିଲା । କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ ଦେଇ ହୋଇଥିବା ମୋଟ ୨୩ ଟି ଆବେଦନ ଉପରେ ଖଣ୍ଡପୀଠ ଶୁଣାଣି କରିଥିଲେ ।