ସଂସଦର ଉଭୟ ଗୃହରେ ତିନି ମାସ ପୂର୍ବରୁ ପାରିତ ହୋଇଥିବା ତିନିଟି କୃଷି ଆଇନର କାର୍ଯ୍ୟକାରିତାକୁ ସୁପ୍ରିମକୋର୍ଟ ସାମୟିକ ଭାବରେ ସ୍ଥଗିତ ରଖିଛନ୍ତି । କୃଷି ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ନିଷ୍ପତି ନେବାକୁ ଯାଇ ସୁପ୍ରିମକୋର୍ଟ ଏକ ଚାରିଜଣିଆ କମିଟି ଗଠନ କରିଛନ୍ତି । ଏହି କମିଟି ଚାଷୀଙ୍କ ସହ ଆଲୋଚନା କରିବ । କୋର୍ଟ କହିଛନ୍ତି ଯେ କମିଟି ଏହାର ପ୍ରଥମ ୧୦ ଦିନ ମଧ୍ୟରେ ପ୍ରଥମ ବୈଠକ କରିବା ସହ ଆସନ୍ତା ଦୁଇ ମାସ ମଧ୍ୟରେ ଏହାର ସୁପାରିଶ କୋର୍ଟରେ ଉପସ୍ଥାପନ କରିବ । ମାନ୍ୟବର ସୁପ୍ରିମ କୋଟଙ୍କ ଦ୍ୱାର୍ରା ଗଠିତ ଏହି କମିଟିକୁ ଆନ୍ଦୋଳନକାରୀମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଏପରିକି ଏଥିରେ ଥିବା ସଭ୍ୟମାନଙ୍କୁ ନେଇ ଆପତି ଉଠାଇବା ସହ ଯେ ପର୍ଯ୍ୟନ୍ତ ତିନିଟି ବିବାଦୀୟ ଆଇନ ସଂପୂର୍ଣ୍ଣ ରୂପେ ପ୍ରତ୍ୟାହାର ନହୋଇଛି ସେଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି ।

ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନଗୁଡ଼ିକ ମଧ୍ୟରେ ଚାଲିଥିବା ଆଲୋଚନା ବାରମ୍ବାର ବିଫଳ ହେଉଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ସୁପ୍ରିମ କୋର୍ଟ ୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରଛନ୍ତି । ଏହି କମିଟିରେ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି, ଭାରତୀୟ କିଶାନ୍ ୟୁନିଅନର ସଭାପତି ଭୂପିନ୍ଦର ସିଂହ ମାନ୍, ଶେତକାରୀ ସଂଗଠନର ସଭାପତି ଅନୀଲ ଘନୱଟ ଏବଂ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ସଂସ୍ଥାନର ସଦସ୍ୟ ପ୍ରମୋଦ କୁମାର ଯୋଶୀ ରହିଛନ୍ତି । ଅନ୍ୟପକ୍ଷରେ ସୁପ୍ରିମ୍ କୋର୍ଟଙ୍କ କମିଟି ଗଠନ ନିଷ୍ପତିରେ ଚାଷୀ ସଂଗଠନ ସହମତି ନାହାନ୍ତି ବୋଲି ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି । ସେ କହିଛନ୍ତି ଯେ କମିଟିରେ ଥିବା ସମସ୍ତ ୪ ଜଣ ସଦସ୍ୟ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ନୂଆ କୃଷି ଆଇନକୁ ସମର୍ଥନ କରୁଛନ୍ତି ।

ଆନ୍ଦୋଳନ ଚଳାଇଥିବା ସର୍ବଭାରତୀୟ କିଷାନ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି ଯେ ଆଇନ ଉପରେ ରୋକ୍ ଲାଗି ଉଚ୍ଚତମ ଅଦାଲତଙ୍କ ନିର୍ଦେଶକୁ ସେମାନେ ସ୍ୱାଗତ କରୁଛନ୍ତି । କିନ୍ତୁ ଏହି କମିଟି ସହିତ ସେମାନେ ଆଲୋଚନା କରିବେ ନାହିଁ । କାରଣ ଏଥିରେ ଥିବା ସଭ୍ୟ ସରକାରଙ୍କର । ପଂଜାବର ବିଭିନ୍ନ ଚାଷୀ ସଂଗଠନ ମଧ୍ୟ କମିଟି ଗଠନକୁ ବିରୋଧ କରି କହିଛନ୍ତି ଯେ, ସରକାର ସୁପ୍ରିମ୍ କୋର୍ଟ ମାଧ୍ୟମରେ କମିଟି ଗଠନ କରି ନୂଆ କୃଷି ଆଇନ ସପକ୍ଷରେ ବାତାବରଣ ସୃଷ୍ଟି କରିବାକୁ ଚାହୁଛନ୍ତି । ବିବାଦୀୟ ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ ସ୍ପଷ୍ଟ କରିଦେଇଛନ୍ତି । କଂଗ୍ରେସ ମଧ୍ୟ କମିଟିର ସଦସ୍ୟମାନଙ୍କୁ ନେଇ ପ୍ରଶ୍ନ ଉଠାଇଛି । ଚାଷୀ ଆଇନ ସମର୍ଥନରେ ସମସ୍ତ ସଦସ୍ୟ ପୂର୍ବରୁ ତାଙ୍କ ମତ ଦେଇଥିବାରୁ ସେମାନେ କିଭଳି ନ୍ୟାୟ କରିବେ ବୋଲି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା ପ୍ରଶ୍ନ କରିଛନ୍ତି ।

ଏବେ ପ୍ରଶ୍ନ ଉଠୁଛି ଏହା ପରେ କ’ଣ ହେବ? ଏହି କମିଟି ତାର ରିପୋର୍ଟ ଦାଖଲ ପାଇଁ ଯଦି କୃଷକ ସଙ୍ଗଠନ ସହେଯାଗ ନକରେ ତାହେଲେ ଏହାର ଭବିଷ୍ୟତ କଣ ହେବ? ଶୁଣିବାକୁ ମିଳୁଛି କମିଟି ଚାଷୀଙ୍କ ସହ ଆଲୋଚନା କରିବ । ସରକାର ମଧ୍ୟ ଏଥିରେ ନିଜର ପକ୍ଷ ଉପସ୍ଥାପନ କରିବାର ସୁଯୋଗ ପାଇପାରନ୍ତି । ଏହି କମିଟି କୌଣସି ନିଷ୍ପତି କିମ୍ବା ଆଦେଶ ଦେବ ନାହିଁ ବରଂ ଏହା ମାନ୍ୟବର ସୁପ୍ରିମକୋର୍ଟରେ ଏହାର ରିପୋର୍ଟ କେବଳ ଦାଖଲ କରିବ ଯଦିଓ ଏହି କମିଟି କେତେ ଦିନ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହା ମଧ୍ୟରେ ମାନ୍ୟବର ସୁପ୍ରିମକୋର୍ଟ କୃଷକ ସଂଗଠନଗୁଡିକୁ କହିଛନ୍ତି ଯେ ଯଦି ସେମାନେ ରାମଲିଲା ମଇଦାନରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚାହାଁନ୍ତି, ତେବେ ସେଥିପାଇଁ ଦିଲ୍ଲୀ ପୋଲିସ କମିଶନରଙ୍କ ଅନୁମତି ମାଗିପାରିବେ ଆଉ ଯଦି ଅନୁମତି ଦିଆଯାଏ, ଆନ୍ଦୋଳନର ସ୍ଥାନ ବଦଳିପାରେ । ସବୁଠାରୁ ବଡକଥା ହେଲା କୃଷକମାନେ ଆସନ୍ତା ୨୬ ଜାନୁଆରୀରେ ସେମାନେ ଟ୍ରାକ୍ଟର ପରେଡ ବାହାର କରିବାକୁ ଚିନ୍ତା କରୁଛନ୍ତି । ତ୍ରୀରଙ୍ଗା ଉଡାଇ ଦିଲ୍ଲୀ ରାସ୍ତାରେ ୨ ହଜାର ଟ୍ରାକ୍ଟର ଚଳାଇ ପ୍ରତିବାଦ କରିବେ । ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟରେ ଏ ସଙ୍କ୍ରାନ୍ତରେ ଆବେଦନ କରିଛନ୍ତି ଯେ ଏଭଳି ପ୍ରତିବାଦ ଦ୍ୱାରା ଭାରତର ଭାବମୂର୍ତୀ ବିଶ୍ୱ ଦରବାରରେ ପ୍ରଭାବିତ ହେବ ଯାହା ଉପରେ ରୋକ ଲାଗିବା ଦରକାର ।

ଦୀର୍ଘ୍ୟ ୫୦ ଦିନ ଧରି ଦିଲ୍ଲୀ ସୀମାରେ ସାରା ଦେଶର ହଜାର ହଜାର କୃଷକ ଶୀତ କାକରରେ ଆନ୍ଦୋଳନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବୋଧହୁଏ ଭାରତ ଇତିହାସରେ ଏଭଳି କୃଷକ ଆନ୍ଦୋଳନ ଆଗରୁ କେବେ ଦେଖିବାକୁ ମିଳିନଥିଲା । ଏହି ଆନ୍ଦୋଳନ କେନ୍ଦ୍ର ସରକାରଙ୍କୁ ବାଧ୍ୟ କରିଛି ପୁର୍ନବିଚାର କରିବା ପାଇଁ । ଦିନକ ପୂର୍ବରୁ ଏହାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ସରକାରଙ୍କୁ ଚରମ ଚେତାବନୀ ଦେଇଥିଲେ ଆଉ ଶେଷରେ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମୟ କହିବ ଏହି କମିଟିର ଭବିଷ୍ୟତ କଣ ହେବ ହେଲେ ଗୋଟିଏ କତା ସତ୍ୟ ଯେପର୍ଯ୍ୟନ୍ତ ଏହି ବିଲ୍ ପ୍ରତ୍ୟାହାର ନହୋଇଛି ସେଯାଏ କୃଷକ ସଂଗଠନ ମାନେ ସେମାନଙ୍କର ଯିଦରୁ ଓହରିବେ ନାହିଁ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏ ଲଢେଇରେ ତାହେଲେ ଜିତିଲା କିଏ? ସହଜ ଭାବରେ କହିବାକୁ ଗଲେ ଏଥରରେ କେହି ଜିତିଲେ ନାହିଁ ବା କେହି ହାରି ନାହାନ୍ତି ବରଂ ସମସ୍ତଙ୍କୁ ଖୁସି କରିବା ପରି କିଛି କାଯ୭ୟ ହୋଇଛି ।