କଞ୍ଚା କଦଳୀରେ ଖୁବ୍ କମ୍ ଶର୍କରା ଥାଏ। ଏହି କାରଣରୁ କଞ୍ଚା କଦଳୀ ଡାଇବେଟିସ୍ ରୋଗୀଙ୍କ ପାଇଁ ଉପକାରୀ ହୋଇଥାଏ। ଏଥିରେ ଗ୍ଲାଇସେମିକ ଇଣ୍ଡେକ୍ସ (ଜିଆଇ) ୫୫ରୁ କମ୍ ଥିବା ଯୋଗୁଁ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କାରଣ କମ୍ ଜିଆଇ ଥିବା ଖାଦ୍ୟ ପଦାର୍ଥ ରକ୍ତରେ ଶର୍କରାର ମାତ୍ରାକୁ ବୃଦ୍ଧି କରିବା ବନ୍ଦ କରିଥାଏ। ଏନେଇ ଡାଇବେଟିସ ରୋଗୀ ନିଜ ଦୈନିକ ଭୋଜନରେ କଞ୍ଚା କଦଳୀକୁ ସାମିଲ କରିପାରିବେ।
କଞ୍ଚା କଦଳୀରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ସହଜ କରିଥାଏ। ଏହାକୁ ନିୟମିତ ଖାଇଲେ କୋଲେଷ୍ଟ୍ରଲ ମଧ୍ୟ କମ୍ ହୋଇଥାଏ। ଏହା ସହ କଞ୍ଚା କଦଳୀ ହୃତ୍ପିଣ୍ଡକୁ ସୁସ୍ଥ ରଖିବା ସହିତ ହୃଦ୍ଘାତ ର ଆଶଙ୍କା କମ୍ କରିଥାଏ। କଞ୍ଚା କଦଳୀରେ ପ୍ରଚୁର ପରିମାଣରେ ଫାଇବର ଥିବାରୁ ଏହାକୁ ଖାଇଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ହୋଇ ନଥାଏ। ଓଜନ କମ୍ କରିବାକୁ ଚାହୁଁଥିବା ବ୍ୟକ୍ତି ନିଜର ନିତିଦିନିଆ ଖାଦ୍ୟରେ ମଧ୍ୟ କଞ୍ଚା କଦଳୀକୁ ସାମିଲ୍ କରିପାରିବେ। କଞ୍ଚା କଦଳୀରେ ପୋଟାସିୟମ ଅଧିକ ମାତ୍ରାରେ ରହିଥାଏ। ପୋଟାସିୟମ ତତ୍ତ୍ବ ଥିବା ଖାଦ୍ୟ କିଡ୍ନୀ ପାଇଁ ଉପକାରୀ। ଏଥିସହ କଞ୍ଚା କଦଳୀ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ସେହିଭଳି କଞ୍ଚା ଓ ପାଚିଲା କଦଳୀରେ ସବୁଠାରୁ ଆବଶ୍ୟକ ଭିଟାମିନ ଓ ଖଣିଜ ଲବଣ ରହିଛି। ଏଥିରେ ଭିଟାମିନ ସି ଏବଂ ଭିଟାମିନ ବି-୬ ରହିଛି। ସୁସ୍ଥ ତ୍ବଚା ଏବଂ କେଶ ପାଇଁ ଭିଟାମିନ ସି ଏକ ଦରକାରୀ ଉପାଦାନ। ଭିଟାମିନ ବି-୬ ଖାଦ୍ୟକୁ ଶକ୍ତିରେ ରୂପାନ୍ତରିତ କରିବା ପାଇଁ ସାହାଯ୍ୟ କରିଥାଏ। ଏହା ହୃତ୍ପିଣ୍ଡର ସ୍ବାସ୍ଥ୍ୟ ପାଇଁ ଭଲ ଏବଂ ମସ୍ତିଷ୍କର କାର୍ଯ୍ୟପ୍ରଣାଳୀକୁ ତ୍ବରାନ୍ବିତ କରିଥାଏ। ପାଚିଲା କଦଳୀରେ ଅଧିକ ମାତ୍ରାରେ ଶର୍କରା ଓ ଫାଇବର ରହିଥାଏ। ବ୍ଲଡ ସୁଗାର ନିୟନ୍ତ୍ରିତ କରୁଥିବା ଏହି ଫଳ ଓ ଚାପ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏଥିସହ କଞ୍ଚା କଦଳୀରେ ଅଧିକ ମାତ୍ରାରେ କ୍ୟାଲସିୟମ ଥିବାରୁ ଏହା ଶରୀରର ହାଡ଼କୁ ମଜଭୁତ କରିଥାଏ।