ଭୁବନେଶ୍ୱର ( ଏଏନ୍ଏସ୍ ): ଓଡ଼ିଶାର ମୋଟ ୩୦ ଜିଲ୍ଲା ମଧ୍ୟରୁ ୧୫ ଜିଲ୍ଲା ଭୂକମ୍ପପ୍ରବଣ ଅଞ୍ଚଳ। ଏହି ତାଲିକାରେ ଉପକୂଳ, ପଶ୍ଚିମ ଓ ଉତ୍ତର ଓଡ଼ିଶାର ଜିଲ୍ଲା ରହିଛି। ତେବେ ଉପକୂଳ ଜିଲ୍ଲା ସଂଖ୍ୟା ଅଧିକ। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ରାଜସ୍ଵ ଓ ବିପର୍ଯ୍ୟୟ ପରିପ୍ପଳନା ମନ୍ତ୍ରୀ ସୁଦାମ ମାଣ୍ଡି ଗୁରୁବାର ଏହି ସୂଚନା ଦେଇଛନ୍ତି । ବିଧାୟକ ବାହିନୀପତି ପ୍ରଶ୍ନ କରିଥିଲେ: ରାଜ୍ୟର କେଉଁ କେଉଁ ଜିଲ୍ଲା ଭୂକମ୍ପପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି,
ଏବଂ କେଉଁ କେଉଁ ଅଞ୍ଚଳ ସମ୍ବେଦନଶୀଳ ଏବଂ ଅଣସମ୍ବେଦନଶୀଳ ? ସମ୍ଭାବ୍ୟ ଭୂକମ୍ପ ବିପର୍ଯ୍ୟୟର ମୁକାବିଲା ପାଇଁ ଏହି ସବୁ ଅଞ୍ଚଳରେ କି ପଦକ୍ଷେପ ଗ୍ରହଣ କରାଯାଇଛି ?
ଉତ୍ତରରେ ମନ୍ତ୍ରୀ କହିଥିଲେ, ରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ ଅଞ୍ଚଳ। ଏହି ତାଲିକାରେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସମ୍ବଲପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ରହିଛି । ସହରାଞ୍ଚଳ ଭୂମିକମ୍ପ ବିପଦ ସଙ୍କଳନ ହ୍ରାସ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବିଭିନ୍ନ ସହରରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ତା ବ୍ୟତୀତ ଏ ସମ୍ପର୍କରେ ତାଲିମ ମଧ୍ୟ ଦିଆଯାଉଛି। ଭୂମିକମ୍ପ ସମ୍ପର୍କରେ ଜାଣିବା ପାଇଁ ପ୍ରାଥମିକ ଶିକ୍ଷାରେ ଏହାକୁ ସାମିଲ କରାଯାଇଛି।