ଦିନ ଦ୍ୱିପ୍ରହରରେ ବନ୍ଧୁକ ଦେଖାଇ ଜଣେ ଫଳ ବ୍ୟବସାୟୀଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ । ସୂଚନା ମୁତାବକ, କେନ୍ଦ୍ରାପଡା ପିକିରାବାଦ ଅଂଚଳର ମହମ୍ମଦ ମୁସ୍ତାକ ନାମକ ଏକ ଫଳ ବ୍ୟବସାୟୀ ଆଜି ସକାଳ ସମୟରେ ଏକ ପିକଅପ ଭ୍ୟାନ ଯୋଗେ ସାଲେପୁର ଦେଇ କଟକ ମାଲ ଗୋଦାମକୁ ଫଳ ଆଣିବାକୁ ବାହାରିଥିଲେ । ହଠାତ ଦୁଇ ଅଜଣା ଦୁବୃତ୍ତ ଏକ ମଟର ସାଇକଲରେ ଆସି ଭାତପଡ଼ା ନିକଟରେ ଫାଇନାନ୍ସ କମ୍ପାନୀ କର୍ମଚାରୀ କହି ଅଟକାଇଥିଲେ ।

ଗାଡ଼ି ଅଟିକିବା ପରେ ଦୁଇ ଦୁବୃତ୍ତ ଗାଡି ଭିତରେ ବସିଥିବା ଫଳ ବ୍ୟବସାୟୀ ଓ ତାଙ୍କ ଡ୍ରାଇଭରକୁ ବନ୍ଧୁକରେ ମୁଣ୍ଡକୁ ଆଘାତ କରିଥିଲେ । ପରେ ଗାଡି ଭିତରୁ ୩ ଲକ୍ଷ ଟଙ୍କା ଲୁଟି ଚମ୍ପଟ ମାରିଥିଲେ । ଆହତ ଅବସ୍ଥାରେ ମହମ୍ମଦ ମୁସ୍ତାକ ଓ ଡ୍ରାଇଭର ଏର୍ଶାଦ ଅଲ୍ଲୀ ମେଡିକାଲରେ ଭର୍ତି ହୋଇଥିଲେ । ଫଳ ବ୍ୟବସାୟୀ ମହମ୍ମଦ ମୁସ୍ତାକ ସାଲେପୁର ଥାନା ରେ ଏତଲା ଦେଇଛନ୍ତି। ଖବରପାଇ ସାଲେପୁର ଆଇ ଆଇ ସି ଓ ଏସ୍ଡିପିଓ ଘଟଣା ସ୍ଥଳରେ ପହଂଛି ତଦନ୍ତ ଚଳାଇଛନ୍ତି ।