ଭୁବନେଶ୍ୱର (ଏଏନଏସ): ନଭେମ୍ବର ୨୦ ତାରିଖ ତଥା ଆସନ୍ତା ସୋମବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର ଚାଲିଛି। ରାସ୍ତାଘାଟ, ରେଲୱେଷ୍ଟେସନ, ହେଲିପ୍ୟାଡ ସବୁ ଚକାଚକ କରାଯାଉଛି । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁରର ବାଦାମପାହାଡଠାରେ ଟାଟା-ବାଦାମପାହାଡ ଟ୍ରେନର ଶୁଭାରମ୍ଭ କରିବେ।ତେଣୁ ଏହି ଷ୍ଟେସନର ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଜୋରସୋରରେ ଚାଲିଛି।
ସେହିପରି ପାହାଡପୁରଠାରେ ଝଖଝ ବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଅବସରରେ ରାଷ୍ଟ୍ରପତି ଏଲଆଣ୍ଡ ଟି କମ୍ପାନୀ ପକ୍ଷରୁ ନିର୍ମିତ ଦକ୍ଷତା ବିକାଶ କେନ୍ଦ୍ରର ମଧ୍ୟ ଉଦଘାଟନ କରିବେ। ଏହାପରେ ରାଷ୍ଟ୍ରପତି ରାଇରଙ୍ଗପୁର ମହୁଲଡିହାସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ସନ୍ଧ୍ୟାରେ ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବେ।
ସୂଚନାଥାଉ କି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୨ ଥର ଓଡ଼ିଶା ଗସ୍ତରେ ଆସିବେ। ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୨୦ରୁ ୨୨ ତିନି ଦିନିଆ ଗସ୍ତରେ ଆସିବେ। ପୁଣିଥରେ ନଭେମ୍ବର ୨୬ରୁ ୨୭ ଦୁଇ ଦିନିଆ ଗସ୍ତରେ ଆସିବେ। ସେହିପରି ୨ୟ ପର୍ଯ୍ୟାୟ ଗସ୍ତରେ ସେ ନଭେମ୍ବର ୨୬ ତାରିଖରେ ଭୁବନେଶ୍ୱର ଆସିବେ। ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହେବେ।