You are currently viewing ଆଜି ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ

ଆଜି ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏଏନଏସ)୦୧/୦୪, ଆଜି ଉତ୍କଳ ଦିବସ । ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା । ଓଡ଼ିଆ ଜାତିର ଅସ୍ମିତାର ସୁରକ୍ଷା ନେଇ ଏକ ସୁଦୀର୍ଘ ସଂଗ୍ରାମର କାହାଣୀ କୁହେ ଏହି ତାରିଖ । ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା ଏହି ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରିଆସୁଛି ସାରା ରାଜ୍ୟ । ଏହାରି ଭିତରେ ୮୭ ବର୍ଷ ପୂର୍ଣ୍ଣ ହୋଇଛି । ଏହି ଦିନ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଜନ୍ମ ନେଇଥିଲା। ପୂର୍ବରୁ ଉତ୍କଳ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ି ରହିଥିଲା। ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବାବେଳେ ଉତ୍ତରରେ ବାଲେଶ୍ବରରେ ବଙ୍ଗଳାର ପ୍ରଭାବ, କେତେକ ଅଞ୍ଚଳ ବିହାରରେ, ଦକ୍ଷିଣରେ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ରାଧାନାଥ ରାୟ, ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପରି ଓଡ଼ିଶାର ବୀରପୁତ୍ରମାନେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଘର୍ଷ କରିଥିଲେ। ଏହି ବୀରପୁତ୍ରଙ୍କ ଉଦ୍ୟମରେ ୧୯୦୩ରେ ପ୍ରଥମେ ଗଠନ ହେଲା ‘ଉତ୍କଳ ସମ୍ମିଳନୀ’। ଅବିଶ୍ରାନ୍ତ ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ୍ ୧ରେ ଗଠନ ହେଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ।

ଏହାକୁ ସ୍ମରଣୀୟ କରିବା ପାଇଁ ଆଜି ରାଜ୍ୟବାସୀ ବେଶ୍ ଧୁମଧାମରେ ପାଳନ କରିବେ ଓଡ଼ିଶା ଦିବସ । ଉତ୍କଳ ଦିବସ ପାଇଁ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ବିଧାନସଭା, ଲୋକସେବା ଭବନ, ଖାରବେଳ ଭବନ, ନିର୍ମାଣ ସୌଧ, କମିସନରେଟ୍ ପୁଲିସ ମୁଖ୍ୟାଳୟ ରଙ୍ଗ ବେରଙ୍ଗ ଆଲୋକରେ ଝଲସି ଉଠିଛି । ସେହିପରି କୃଷି ଭବନ, ରିଜର୍ଭ ବ୍ୟାଙ୍କ ଓ ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ ସଜା ଯାଇଛି । ଅନ୍ୟପଟେ ବାଲୁକାକଳା ମାଧ୍ୟମରେ ଓଡିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଅତି ଆକର୍ଷଣୀୟ ବାଲୁକାକଳା ତିଆରି କରି ଓଡ଼ିଆ ପରମ୍ପରାକୁ ବର୍ଣ୍ଣନା କରିଛନ୍ତି । ବନ୍ଦେ ଉତ୍କଳ ଜନନୀ ଥିମକୁ ଆଧାର କରି ଓଡିଶାର ପ୍ରତିଷ୍ଠା ଦିବସରେ ଓଡିଶାର କଳା, ସଂସ୍କୃତି ନୈପୁଣ୍ୟ ଏବଂ ବୀରତ୍ୱର ଗାଥା ବାଲୁକା କଳା ମାଧ୍ୟମରେ ବଖାଣୁଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏହି ବାଲୁକା କଳାରେ କୋଣାର୍କ ମନ୍ଦିରକୁ ସ୍ଥାନ ଦେବା ସହ ଓଡିଶାର ପ୍ରସିଦ୍ଧ ଓଡିଶୀ ନୃତ୍ୟକୁ ଅତି ସୁନ୍ଦର ଭାବରେ ଦର୍ଶାଇଛନ୍ତି ।‌

ଅନ୍ୟମାନଙ୍କୁ ଜଣାନ୍ତୁ।