ଆତ୍ମୀୟ ମନା କରିବାରୁ ଶବ ସତ୍କାର କଲେ ସମାଜସେବୀ

କେଉଁଝର(୨.୧୨.୨୨) : ସଦର ବ୍ଲକ ବ୍ରାହ୍ମଣୀଗାଁର ପଣ୍ଡା ନାଏକ କିଛି ବର୍ଷ ପୂର୍ବେ ମୁଣ୍ଡା ସମ୍ପ୍ରଦାୟର ଝିଅକୁ ବିବାହ କରିଥିଲେ । ଅଜାତିରେ ବିବାହ କରିଥିବାରୁ ଘରୁ ତାଙ୍କୁ ବାସନ୍ଦ କରିଦେଇଥିଲେ । ନାବାଳକ ୭-୮ ବର୍ଷର କୁନି ପୁଅ ଓ ୪-୫ ବର୍ଷର କୁନି ଝିଅକୁ ଛାଡ଼ି ସାତ ଜନମର ସାଥୀ ହେବାକୁ କଥା ଦେଇଥିବା ସ୍ତ୍ରୀ ତାଙ୍କୁ ଛାଡି ଅନ୍ୟତ୍ର ବିବାହ କରିଥିଲେ । ଅନ୍ୟ ଘରେ ମୁଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ ମୃତ ପଣ୍ଡା ନାଏକ । ଶରୀର ଭୀଷଣ ଖରାପ ହେବାରୁ ନାବାଳକ ପୁଅ ରକି ନାଏକ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ । ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତ ଓ ସମାଜସେବୀ ଆକାଶ ରାଜ ପ୍ରତ୍ୟେକ ଦିନ ଡାକ୍ତରଖାନା ଯାଇ ରୋଗୀଙ୍କୁ ଦେଖାଶୁଣା ସହିତ କୁନି ପିଲାର ଖାଇବା ପିଇବା ବୁଝାବୁଝି କରୁଥିଲେ । ଆଜି ସକାଳେ ହଠାତ ଖବର ମିଳିଲା ପଣ୍ଡା ନାଏକ ମୃତ୍ୟୁବରଣ କରିଛନ୍ତି । ଖବର ପାଉ ପାଉ ତୁରନ୍ତ ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତ ଡ଼ାକ୍ତରଖାନା ପହଞ୍ଚି ଶବ ନେବା ପାଇଁ କେହି ଆତ୍ମୀୟ ଲୋକ ନଆସିବା କଥା ଜାଣି ଭରସା ପରିବାରର ସକ୍ରିୟ ସଦସ୍ୟ ସୌମ୍ୟରଞ୍ଜନ ବେହେରା, ଲାଇଫ ସେଭର ଗ୍ରୁପର ଆବାହକ ଯୁଧିଷ୍ଠିର ମହାନ୍ତ, ଚନ୍ଦ୍ରସେନ ମହାନ୍ତ, ଆକାଶ ରାଜ, ଭରସା ପରିବାରର ଲୋକସମ୍ପର୍କ ଅଧିକାରୀ ରଜନୀକାନ୍ତ ବେହେରା, ଗୋପବନ୍ଧୁ ମହାନ୍ତ, ସଞ୍ଜୀବ କୁମାର ସାହୁ, ସିପୁନ ସାହୁ ପ୍ରମୁଖଙ୍କୁ ଶବସତ୍କାରରେ ସହଯୋଗ ପାଇଁ ଅନୁରୋଧ କରିଥିଲେ । ସଭାପତି ଲମ୍ବୋଦର ମହାନ୍ତ ନିଜେ ମାଗଣା ମହାପ୍ରୟାଣ ଗାଡ଼ି ପାଇଁ ଦରଖାସ୍ତ ଦେଇଥିଲେ । ସମସ୍ତେ ଡ଼ାକ୍ତରଖାନା ପହଞ୍ଚିବା ପରେ ଶବକୁ ସେ ରହୁଥିବା ତୁଳସୀପୁରକୁ ନେଇଥିଲେ । ଶବସତ୍କାର ପାଇଁ ତାଙ୍କର ଆତ୍ମୀୟସ୍ୱଜନକୁ ନିବେଦନ କଲା ପରେ ମଧ୍ୟ ଅନ୍ୟ ଜାତିରେ ବିବାହ କରିଥିବାରୁ କୁଣ୍ଠାବୋଧ କରିବା ସହିତ ଶବ ପାଖକୁ ମଧ୍ୟ ଆସି ନଥିଲେ । ଶେଷରେ ସମସ୍ତ ସମାଜସେବୀ ନିଜେ ଗାତ ଖୋଳି ଶବକୁ ସମ୍ମାନପୂର୍ବକ ସତ୍କାର କରିଥିଲେ । ଅନାଥ ରକୀ ନାଏକଙ୍କୁ ନୂତନ ବସ୍ତ୍ର ସହିତ ଆର୍ଥିକ ସହାୟତା କରିଥଲେ । ଶୁଦ୍ଧିକ୍ରିୟା ମଧ୍ୟ ସମାଜସେବୀମାନେ କରିବେ ବୋଲି ଅନାଥ ଆଦିବାସୀ ପିଲାଙ୍କୁ ପ୍ରତିଶୃତି ଦେଇଥିଲେ । ଚାଇଲ୍ଡ ଲାଇନକୁ ମଧ୍ୟ ଯୋଗାଯୋଗ କରି ଶୁଦ୍ଧିକ୍ରିୟା ପରେ ଅନାଥ ପିଲାଙ୍କୁ ହସ୍ତାନ୍ତର କରିବା ପର୍ଯ୍ଯନ୍ତ ସହଯୋଗ କରାଯିବ ବୋଲି ସମାଜସେବୀମାନେ ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

16 + 5 =