ଭୁବନେଶ୍ୱର, ରାଜ୍ୟ ବିଧାନସଭା ପାଇଁ ଉପନିର୍ବାଚନ ହୋଇଥିବା ବାଲେଶ୍ୱର ଓ ତିର୍ତ୍ତୋଲରେ ମତଦାନ ଇତିମଧ୍ୟରେ ଶେଷ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ୭୧ ପ୍ରତିଶତ ମତଦାନ ହୋଇଥିବାବେଳେ, ତିର୍ତ୍ତୋଲ ପାଇଁ ୬୯.୯୯ ମତଦାତା ତାଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଉଭୟ ନିର୍ବାଚନ ମଣ୍ଡଳୀରେ ତିନୋଟି ଯାକ ପ୍ରମୁଖ ରାଜନୈତିକ ଦଳ ତଥା ବିଜେପି, ବିଜେଡ଼ି, କଂଗ୍ରେସ ତାଙ୍କର ହେବିୱେଟ ନେତାମାନଙ୍କୁ ଧରି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ଏବେ ସବୁ ଶୂନସାନ । ଇଭିଏମ୍ ମେସିନରେ ସିଲ୍ ହୋଇଯାଇଛି ସବୁ ପ୍ରାର୍ଥୀଙ୍କ ଭାଗ୍ୟ ।

ଆଶା ଓ ଆଶଙ୍କାରେ ସବୁ ଦଳର ପ୍ରାର୍ଥୀମାନେ ଥିବାବେଳେ, କେଉଁ ଆସନରେ କିଏ ଜିତାପଟ କରିବ ତାହାହିଁ ୧୦ତାରିଖରେ ହେବାକୁ ଥିବା ଭୋଟ୍ ଗଣତି ପରେ ଜଣାପଡ଼ିବ । ତେବେ ମତଦାନରୁ ଫେରୁଥିବା ଭୋଟର ମାନଙ୍କ ମତାମତ ସର୍ଭେରୁ ଜଣାପଡ଼ିଛି ଯେ, ଶାସକ ବିଜୁ ଜନତା ଦଳ ଜଗତସିଂହପୁର ଆସନରେ ବାଜିମାତ କରିବା ଏକ ପ୍ରକାର ନିଶ୍ଚିତ । ଅନ୍ୟପଟେ ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ସର୍ଭେକୁ ଲକ୍ଷ୍ୟ କଲେ ଏଠାରେ ବିଜୁ ଜନତାଦଳ ଓ ଭାଜପା ମଧ୍ୟରେ କାଣ୍ଟେକା ଟକ୍କର ହୋଇଛି । ସେହିପରି ଉଭୟ ଜାଗାରେ କଂଗ୍ରେସ ଦଳ ତୃତୀୟ ସ୍ଥାନରେ ରହିବା ଆପାତତଃ ସର୍ଭେରୁ ଜଣାପଡ଼ିଛି । ତେବେ ଦେଖିବାକୁ ବାକି ରହିଲା ୧୦ ତାରିଖ ଦିନ ମତଦାତା କାହା ସପକ୍ଷରେ ମତଦାନ କରିଛନ୍ତି ।