You are currently viewing ବଢୁଛି ଏଚ୍‌୩ଏନ୍‌୨ ସଂକ୍ରମଣ

ବଢୁଛି ଏଚ୍‌୩ଏନ୍‌୨ ସଂକ୍ରମଣ

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ ୧୬/ ଦେଶରେ ଏଚ୍‌୩ଏନ୍‌୨ ସଂକ୍ରମଣ ବଢ଼ିଚାଲିଛି। ଆଇଡିଏସ୍‌ପି ତଥା ଇଣ୍ଟିଗ୍ରେଟେଡ ଡିଜିଜ୍‌ ସର୍ଭେଲାନ୍ସ ପ୍ରୋଗ୍ରାମ ସର୍ଭେରୁ ଜଣାପଡ଼ିଛି ଯେ, ଦେଶରେ ‌ଫେବ୍ରୁଆରୀ ୨୮ ସୁଦ୍ଧା ୯୫୫ ଏଚ୍‌୧ଏନ୍‌୧ ମାମଲା ଚିହ୍ନଟ ହୋଇଥିଲା। ତେବେ ଏଚ୍‌୩ଏନ୍‌୨ ସଂକ୍ରମଣ ଭୟ ବଢ଼ାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗତ ସପ୍ତାହରେ ଏଚ୍‌୩ଏନ୍‌୨ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ। ତେବେ ସରକାର ଏଚ୍୩ଏନ୍‌୨ ମୃତ୍ୟୁ ସଂକ୍ରାନ୍ତରେ ସଦ୍ୟ ତଥ୍ୟ ଦେଇନଥିଲେ ସୁଦ୍ଧା ଦେଶରେ ଏଥିଜନିତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି ବୋଲି କୁହାଯାଉଛି। ଗତକାଲି ଗୁଜରାଟରେ ଜଣଙ୍କର ଏଚ୍‌୩ଏନ୍‌୨ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିଲା।

ମହାରାଷ୍ଟ୍ରରେ ଆଜି ଏଚ୍‌୩ଏନ୍‌୨ ପାଇଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମହାରାଷ୍ଟ୍ରରେ ଏଯାବତ ମୋଟ୍‌ ୫୮ ଏଚ୍‌୩ଏନ୍‌୨ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ୪୮ ଜଣ ଏଚ୍‌୩ଏନ୍‌୨ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଚ୍‌୩ଏନ୍‌୨ ସଂକ୍ରମଣ ପାଇଁ ରାଜ୍ୟମାନେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପୁଡ଼ୁଚେରୀ ସରକାର ରାଜ୍ୟରେ ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ସମସ୍ତ ସରକାରୀ ସ୍କୁଲ ୧୧ ଦିନ ପାଇଁ ବନ୍ଦ କରିଛନ୍ତି। ମାର୍ଚ୍ଚ ୧୬ରୁ ୨୬ ପର୍ୟ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ସରକାରୀ ସ୍କୁଲ ବନ୍ଦ ରହିବ। ୧୫ ବର୍ଷରୁ କମ୍‌ ବୟସର ଶିଶୁ ଏଚ୍‌୩ଏନ୍‌୨ ଭାଇରସ୍‌ରେ ସଂକ୍ରମିତ ହେବାର ଅଧିକ ବିପଦ ଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୁଡ଼ୁଚେରୀରେ ଜାନୁଆରିରେ ୩୫, ଫେବ୍ରୁଆରିରେ ୩୮ ଏବଂ ମାର୍ଚ୍ଚରେ ୨୫ ଏଚ୍‌୩ଏନ୍‌୨ ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ୬ ଶିଶୁଙ୍କ ସମେତ ୧୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।