jagannath

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ 

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ): ଆସନ୍ତାକାଲି ବୈଶାଖ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥି ସହିତ ଅନବସର ପିଣ୍ଡିରେ ଅନବସର ନୀତି ସମେତ କେତେକ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ସମ୍ପାଦିତ କରାଯିବ । ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬.୦୦ ଘଣ୍ଟିକାରୁ ରାତ୍ର ୧୨.୦୦ ଘଣ୍ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବନକଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଖାର କରାଯାଇଥାଏ।  ପରମ୍ପରା ଅନୁସାରେ, ବୁଧବାର କିମ୍ବା ଗୁରୁବାର ଦିନ ମହାପ୍ରଭୁଙ୍କ ଏହି ବନକଲାଗି ନୀତି ହୋଇଥାଏ। ଦ୍ବିପହର ଧୂପ ସରିବା ପରେ, ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ।  ଦତ୍ତ ମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କର ଶ୍ରୀମୁଖ ସିଂହାର କରନ୍ତି। ଏହି ବନକଲାଗି ନୀତି ପାଇଁ ଏକ ସ୍ବତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି।  ଏମାନଙ୍କୁ ଦତ୍ତ ମହାପାତ୍ର ସେବକ କୁହାଯାଏ।  ରଙ୍ଗ ପ୍ରସ୍ତୁତ କରିବା ଓ ବିଗ୍ରହ ମାନଙ୍କୁ ଲଗାଇବା ଏମାନଙ୍କ ମୁଖ୍ୟ କାମ। ଏହାକୁ ପ୍ରସ୍ତୁତ କରିବା ପାଇଁ ରଙ୍ଗ ସହିତ କସ୍ତୁରୀ କେଶର ଭଳି ଦାମୀ ସୁବାଷିତ ପଦାର୍ଥ ବ୍ୟବହୃତ ହୋଇଥାଏ। ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ୟବହୃତ ହୁଏ ନାହିଁ। 

ଅନ୍ୟମାନଙ୍କୁ ଜଣାନ୍ତୁ।