ବରଗଡ଼ -ବରଗଡ଼ ଜିଲ୍ଲାରେ ଖରିଫ ଋତୁ ଧାନ କିଣାବିକାରେ ସରକାରଙ୍କୁ ମିଥ୍ୟା ଓ ତ୍ରୁଟିପୂର୍ଣ୍ଣ ରିପୋର୍ଟ ଦେଇ ଜିଲ୍ଳାର ୧୭ଜଣ ସମ୍ପାଦକଙ୍କ ଅନ୍ୟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଯାହା ଆଇନଗତ ନୁହେଁ । ତେଣୁ ତୁରନ୍ତ ନିଲମ୍ବିତ ହୋଇଥିବା ସମସ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଆଜି ବରଗଡ଼ ଡିଆରସିଏସଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାଁ ସମଲେଶ୍ବରୀ ପ୍ରାଥମିକ ଓ ବହୁମୁଖୀ କୃଷି ସେବା ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଆନ୍ଦୋଳନ କରିଛନ୍ତି ।

ରବି ଋତୁ ଧାନ କିଣାବିକା ପାଇଁ କୌଣସି ସୋସାଇଟିରେ ଚାଷୀଙ୍କ ନାମ ପଞ୍ଜିକରଣ କରାଯିବ ନାହିଁ କି କୌଣସି ଉନ୍ନତିମୂଳକ କାମ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୨୦୧୮/୧୯ ବର୍ଷରେ ରବି ଋତୁ ଚାଷ ବେଳେ ରାଜ୍ୟ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ଼ ଦଳ ସହ ବରଗଡ଼ ଡିଆରସିଏସ ମିଶି କମିଶନରଙ୍କୁ ମିଥ୍ୟା ଓ କପୋଳ କଳ୍ପିତ ଭାବେ ତ୍ରୁଟିପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରିପୋର୍ଟକୁ ଭିତ୍ତି କରି ଜିଲ୍ଲାର ୧୩ଜଣ ସୋସାଇଟି ସମ୍ପାଦକଙ୍କ ଅନ୍ୟ ୪ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ ଥାନାରେ ଏତାଲା ଦିଆଯାଇଛି ।