ଭୁବନେଶ୍ୱର, ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଘରେ ଘରେ ମକର ଚାଉଳ ଓ ପିଠାପଣାର ଆସର। ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକର ରାଶିରେ ପ୍ରେବଶ କରିଥା’ନ୍ତି। ତେଣୁ ଆଜିର ଦିନକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ ।
ଆଜିର ଦିନରେ ଗୁଡି ଉଡେଇବାର ପ୍ରଥା ବହୁ ପୁରୁଣା । ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ଗୁଡି ଉଡେଇବାକୁ ପସନ୍ଦ କରିଥାନ୍ତି । ପ୍ରତିବର୍ଷ ମକରସଂକ୍ରାନ୍ତିରେ ଗୁଡି ଉଡାଇ ଏହାର ମଜା ଉଠେଇଥାନ୍ତି ଲୋକେ । ମକରସଂକ୍ରାନ୍ତିରେ ଗୁଡି ଉଡେଇବା ପାଇଁ ଲୋକେ ବର୍ଷସାରା ଅପେକ୍ଷା କରିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଗୁଡି ବଜାର ଫିକା ପଡିଛି । କୁହାଯାଏ ଯେ, ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ପ୍ରଥା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଠାରୁ ଆରମ୍ଭ ହୋଇଥିଲା ।
ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଆଜି ଦିନରେ ସୂର୍ଯ୍ୟ ଉତ୍ତରଗାମୀ ହୋଇଥାନ୍ତି । ବର୍ଷର ଅନ୍ୟ ଦିନ ମାନଙ୍କ ଅପେକ୍ଷା ଉତ୍ତରଗାମୀ ସୂର୍ଯ୍ୟାଲୋକରେ ଭିଟାମିନ୍ ‘ଡି’ ଭରପୁର ମାତ୍ରାରେ ରହିଥାଏ । ଏଣୁ ଆଜି ଦିନରେ ଗୁଡି ଉଡାଇବା ଦ୍ୱାରା ବ୍ୟକ୍ତିଟି ସିଧାସଳଖ ସୂର୍ଯ୍ୟାଲୋକ ପାଇଥାଏ ଯାହା ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।ଏଥି ସହିତ ଗୁଡି ଉଡାଇବାରେ ହାତ ଓ ବେକର ସଂଚାଳନ ବହୁଳ ବ୍ୟବହାର ହୋଇଥାଏ । ଯାହା ଦ୍ୱାରା ଶରୀରର ଅନ୍ୟ ମାଂସପେଶୀୟ କଷ୍ଟ ମଧ୍ୟ ଦୂର ହୋଇଥାଏ ।