You are currently viewing ହାତୀର ଦେଖିବା ଦାନ୍ତ ଠାରୁ ଖାଇବା ଦାନ୍ତ ଭିନ୍ନ !

ହାତୀର ଦେଖିବା ଦାନ୍ତ ଠାରୁ ଖାଇବା ଦାନ୍ତ ଭିନ୍ନ !

ଭୁବନେଶ୍ୱର, ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ସେମାନଙ୍କର ସମ୍ପତ୍ତି ତାଲିକା ସାର୍ବଜନୀନ କରିଛନ୍ତି। ମନ୍ତ୍ରୀମଣ୍ଡଳରେ ଝାରସୁଗୁଡା ବିଧାୟକ ନବ ଦାସ ସବୁଠାରୁ ଧନୀ ମନ୍ତ୍ରୀ ଭାବେ ପରିଗଣିତ ହୋଇଥିବା ବେଳେ କାକଟପୁର ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମ୍ପତ୍ତି ସବୁଠାରୁ କମ୍ ବୋଲି ଜଣାପଡିଛି। ନବ ଦାସଙ୍କର ସମ୍ପତ୍ତି ର ପରିମାଣ ୩୪ କୋଟିରୁ ଅଧିକ ହୋଇଥିବା ବେଳେ ପରିବାରର ସଦସ୍ୟଙ୍କ ନାମରେ ୧୪ଟି ମର୍ସିଡେଜ୍ କାର ଏବଂ ୮୦ଟି ବ୍ୟବସାୟିକ କାର ଥିବାର ଜଣା ପଡିଛି। କୋଟିଏ ଟଙ୍କାର ନଗଦ ଜମା ସହ କୋଟି କୋଟି ଟଙ୍କାର ସ୍ତାବର ଅସ୍ତାବର ସମ୍ପତ୍ତି ଥିବାର ଜଣାପଡିଛି। ସେହିପରି ମନ୍ତ୍ରୀ ପ୍ରତାପ ଜେନା, ନିରଞ୍ଜନ ପୂଜାରୀ ସୁଶାନ୍ତ ସିଂହଙ୍କ ସମ୍ପତ୍ତି ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ପ୍ରଶ୍ନ ଉଠୁଛି ଯେତିକି ତଥ୍ୟ ଏବେ ପଦାକୁ ଆସିଛି ଏହା ଶେଷ ତଥ୍ୟ ନା ଏହାବଦ୍ ଆଉ କିଛି ବେନାମୀ ସମ୍ପତ୍ତି ରହିଯାଇଛି ? ସରକାରୀ ବ୍ୟବସ୍ଥାରୁ ଦୁର୍ନୀତି ହଟାଇ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ପ୍ରମାଣ କରିବା ଲାଗି ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଘୋଷଣା କରିଥିଲେ ଏହା ହେଉଛି ତାହାର ପରିପ୍ରକାଶ। ସାଧାରଣରେ ନେତା ମନ୍ତ୍ରୀ ଯଦି ସେମାନଙ୍କୁ ସ୍ବଚ୍ଛ ପ୍ରମାଣିତ କରିପାରିବେ ତେବେ ଏହା ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବ। ଦୁର୍ନୀତି ବହୁ ମାତ୍ରାରେ କମିବ ଏବଂ ଶାସନ ଅଧିକ ସ୍ବଚ୍ଛ ହେବ। ତେବେ ଏହା ମଧ୍ୟରେ ସବୁଠାରୁ ରୋଚକ ତଥ୍ୟଟି ହେଲା ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ନିଜର ସମ୍ପତ୍ତି ତାଲିକା ମଧ୍ୟ ସାର୍ବଜନୀନ କରିଛନ୍ତି। ଦିଆ ଯାଇଥିବା ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ୨୦୧୯ ନିର୍ବାଚନ ସମୟରେ ଦେଇଥିବା ସମ୍ପତ୍ତି ତାଲିକା ଠାରୁ ଏବେର ତଥ୍ୟ କହୁଛି ସମ୍ପତ୍ତି କମିଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସ୍ତାବର ଅସ୍ତାବର ସମ୍ପତ୍ତିର ମୂଲ୍ୟ ହେଉଛି ୬୪ କୋଟି ୮୭ ଲକ୍ଷ । ନବୀନ ନିବାସ ଠାରୁ ଦିଲ୍ଲୀର ଅବଦୁଲ କାଲାମ ରୋଡସ୍ଥିତ ଘର ସୁନା ଏବଂ ଅନ୍ୟାନ୍ୟ ସମ୍ପତ୍ତି ହିସାବ କଲେ ନବୀନ ବାବୁଙ୍କର ଅର୍ଜିତ ସମ୍ପତ୍ତି ଅପେକ୍ଷା ଉତ୍ତରାଧିକାରୀ ସୁତ୍ରରେ ସମ୍ପତ୍ତି ଅଧିକ ବୋଲି ଜଣାପଡିଛି।ସାଧାରଣରେ ଚର୍ଚ୍ଚା ହେଉଛି ଏ ସମ୍ପତ୍ତିର ତାଲିକା କହୁଛି ହାତ ଗଣତି କେତେଜଣଙ୍କୁ ଛାଡିଦେଲେ ପ୍ରାୟ ସମସ୍ତଙ୍କର ଅର୍ଜିତ ସମ୍ପତ୍ତିର ଅଂଶ ଅଧିକ ଆଉ ଏହା ସେମାନଙ୍କର ବିଧାୟକ ଓ ମନ୍ତ୍ରୀ ହେବା ସମୟର ବୋଲି ଜଣାପଡିଛି। କିନ୍ତୁ ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଅନେକ ମନ୍ତ୍ରୀ ସେମାନଙ୍କର ସମ୍ପତ୍ତି ନିଜର ସମ୍ପର୍କୀୟଙ୍କ ନାମରେ କିଣିଛନ୍ତି ଯାହାର ହିସାବ ଏହା ମଧ୍ୟରେ ନାହିଁ। ହାତିର ଦେଖିବା ଦାନ୍ତ ଠାରୁ ଖାଇବା ଦାନ୍ତ ଭିନ୍ନ ପରି ରାଜ୍ୟ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ମାନଙ୍କର ସାର୍ବଜନୀନ କରିଥିବା ସମ୍ପତ୍ତି ଠାରୁ ପ୍ରକୃତ ସମ୍ପତ୍ତି କିନ୍ତୁ ଅନେକ ଅଧିକ ଏଥିରେ ତିଳେମାତ୍ର ସନ୍ଧେହ ନାହିଁ। ଏମାନଙ୍କ ବ୍ୟତୀତ ଅନେକ ବିଧାୟକ ଅଛନ୍ତି ଯେଉଁ ମାନଙ୍କ ପାଖରେ ମଧ୍ୟ ରହିଛି ଅମାପ ସମ୍ପତ୍ତି। ନିକଟରେ ଦୁର୍ନୀତି ଜାଲରେ ଫସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କ୍ଷେତ୍ରରେ ତାହା ଦେଖିବାକୁ ମିଳିଲା। ଏ କେବଳ ସରକାରୀ ଦଳ ମଧ୍ୟରେ ସୀମିତ ନାହିଁ ବରଂ ଦଳମନ ନିର୍ବିଶେଷରେ ସମସ୍ତ ବିଧାୟକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ସମୟ କହିବ ଏ ସମ୍ପତ୍ତର ସୂଚନାଶକେତେ ସତ କେତେ ମିଛ ହେଲେ ଏହା ନିଶ୍ଚିତ ନିଜ ପଦ ଆଉ ପ୍ରତିଷ୍ଠାର ବିନିମୟରେ ଏହା ସଂଗ୍ରହ ହୋଇଛି ଏଥିରେ ଦ୍ବିମତ ନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।