ପୁରୀ-୨୪.୦୫.୨୦୨୧,ସ୍ଥାନୀୟ ପେଣ୍ଠକଟା ସମୁଦ୍ରରେ ମାଛ ମଡକ। ଶହଶହ ସଂଖ୍ୟାରେ ମାଛ ମରି ସମୁଦ୍ର ଏବଂ ଏହାର ନିକଟସ୍ଥ ବେଳାଭୂମିରେ ଭାସୁଥିବା ନଜରକୁ ଆସିଛି। ପଥରମୁଣ୍ଡି ପ୍ରଜାତିର ମାଛ ମରି ଭାସୁଥିବା ଜଣାପଡିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀ ମଧ୍ୟ ଏଭଳି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କେଉଁ କାରଣରୁ ଏବଂ କେଉଁ କେଉଁ ମାଛ ମଡକ ହୋଇଛି ତାହାର ତଦନ୍ତ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ।
ସାମୁଦ୍ରିକ ଝଡ଼ “ୟାସ୍” କାରଣରୁ ଅଶାନ୍ତ ହୋଇ ଉଠିଛି ବଙ୍ଗୋପସାଗର । ଜୁଆରିଆ ରହୁଥିବା ଯୋଗୁଁ ବିଗୁଡୁଛି ସାମୁଦ୍ରିକ ପରିବେଶ। ପୁରୀ ଉପକୂଳ ଠାରେ ଦେଖିବାକୁ ମିଳିଛି ଏହାର ବାସ୍ତବ ଚିତ୍ର। ପୁରୀ ପେଣ୍ଠକଟା ସମୁଦ୍ର ଏବଂ ବେଳାଭୂମି ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ସାମୁଦ୍ରିକ ମାଛ ମଡକ ଦେଖିବାକୁ ମିଳୁଛି। କିଛି ସମୁଦ୍ରରେ ଭାସୁଥିବା ବେଳେ ଆଉ କିଛି କୂଳରେ ଗଦା ହୋଇଛି।
ସେପଟେ ମାଛ ମଡକକୁ ନେଇ ସାମୁଦ୍ରିକ ମତ୍ସ୍ଯ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ପୌରସଂସ୍ଥାକୁ ମାଛ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ସମୁଦ୍ର ଭିତରକୁ ମାଛ ମାରିବାକୁ ନଯିବା ପାଇଁ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ କଟକଣା ଲଗାଯାଇଛି। ହେଲେ ଏହାକୁ ଉଲଘଂନ କରି ଗତକାଲି ପେଣ୍ଠକଟା ଅଞ୍ଚଳର ପ୍ରାୟ ୩୦ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ।
ଏନେଇ ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ। ଏହି ମତ୍ସ୍ୟଜୀବୀଙ୍କ ୬ ଡଙ୍ଗା ସହ ସେମାନଙ୍କର ସମସ୍ତ କାଗଜପତ୍ର ମଧ୍ୟ ଜବତ କରାଯାଇଛି। ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରିହୋଇଛି। ଏଡିଏଫଓ ତଦନ୍ତ କରି ନେଇଛନ୍ତି କାର୍ଯ୍ଯାନୁଷ୍ଠାନ। ଏନେଇ ସୂଚନା ଦେଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।