ହବିଷ୍ୟାଳି ହନ୍ତସନ୍ତ

ପୁରୀ (୧୩.୧୦.୨୨) : କରୋନା କଟକଣା ଯୋଗୁ ୨ ବର୍ଷ ବନ୍ଦ ରହିବା ପରେ ଏଥର ପୁରୀରେ ଜମିଛି ହବିଷ୍ୟାଳିଙ୍କ ଭିଡ଼ । କାର୍ତ୍ତିକ ବ୍ରତ  ଆରମ୍ଭରୁ ପୁରୀକୁ ହବିଷ୍ୟାଳିଙ୍କ ଆଗମନ ହେଉଛି। କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ବିଭିନ୍ନ ପ୍ରାନ୍ତରୁ ହବିଷ୍ୟାଳି ଏଠାରେ ଭିଡ଼ ଜମାଉଥିବା ବେଳେ ସେମାନେ କିନ୍ତ ବହୁ ହିନସ୍ଥା ହେଉଥିବା ଜଣାଯାଇଛି। ବୃନ୍ଦାବତୀ ନିବାସରେ ଥିବା ହବିଷ୍ୟାଳୀଙ୍କୁ ଆଜି ମୋଚିସାହି କଲ୍ୟାଣମଣ୍ଡପକୁ ସ୍ଥାନାନ୍ତର କରାଯାଉଥିବା ବେଳେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ବୃନ୍ଦାବତୀ ନିବାସରେ ଅନ୍ୟ ହବିଷ୍ୟାଳିଙ୍କ ସହ ନୟାଗଡ଼, କୃଷ୍ଣପ୍ରସାଦ ଓ କଣାସ ଅଞ୍ଚଳର ୨୦ ଜଣ ହବିଷ୍ୟାଳୀ ରହିଥିଲେ। ସେଠାରେ ସେମାନେ ପ୍ରଥମ ମହଲାରେ ରହିଥିବା ବେଳେ ସେମାନଙ୍କୁ ତୃତୀୟ ମହଲାକୁ ସ୍ଥାନାନ୍ତର କରାଯାଇଥିଲା। ବୟସାଧୀକ ହେତୁ ୩ ମହଲା ଚଢ଼ିବା ସମ୍ଭବପର ନୁହେଁ ବୋଲି କହିବାରୁ ସେମାନଙ୍କୁ ମୋଚିସାହି କଲ୍ୟାଣମଣ୍ଡପକୁ ସ୍ଥାନାନ୍ତର କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଚଳିତବର୍ଷ ପ୍ରଶାସନ ପକ୍ଷରୁ ପୁରୀରେ ପାଞ୍ଚଟି ସ୍ଥାନରେ ହବିଷ୍ୟାଳି ଶିବିର କରାଯାଇଛି । ଏଥିସହ ହବିଷ୍ୟାଳୀ ଯେପରି ସୁରୁଖୁରରେ କାର୍ତ୍ତିକ ବ୍ରତ ପାଳନ କରିବେ ସେଥିନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ୩ ହଜାର ହବିଷ୍ୟାଳିଙ୍କ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ହବିଷ୍ୟାଳି ଶିବିରରେ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ନିମନ୍ତେ ମାଗଣା ରହିବା, ଖାଇବା ବ୍ୟବସ୍ଥା କରାଯାଇଛି। ମାତ୍ର କାର୍ତ୍ତିକ ବ୍ରତ ଆରମ୍ଭରୁ ପୁରୀରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଦେଖିବାକୁ ମିଳିଲାଣି।

Leave A Reply

Your email address will not be published.