ଚାନ୍ଦବାଲି, (ହିମାଂଶୁ ନାୟକ); ଚାନ୍ଦବାଲିରେ ଅର୍ନ୍ତଦେଶୀୟ ଜଳପଥ ପରିବହନ ଉପରେ ସରକାରଙ୍କର ନିଘା ନାହିଁ । ଅକ୍ଟୋବର ୧୭ ତାରିଖରୁ ୪ଟି ଯାତ୍ରୀବାହୀ ଲଞ୍ଚ କୂଳରେ ପଡ଼ିରହିଛି । ଲୋକେ ନାହିଁନଥିବା ସମସ୍ୟାରେ ଯାତାୟତ କରୁଛନ୍ତି । ଏହାର ମୁଖ୍ୟ କାରଣ ଅର୍ନ୍ତଦେଶୀୟ ଜଳପଥ ପରିବହନ ଓ ବନ୍ଦର ବିଭାଗ । ୨୦୨୦ ବର୍ଷରେ ବଜେଟ୍ କମ୍ ଥିବା କାରଣରୁ ମୋଟର ଲଞ୍ଚ ପାଇଁ ତେଲ କିଣାଯାଇ ପାରୁନାହିଁ ।

ଏବେ ଜଳପରିବହନ ସେବା ବନ୍ଦ ହୋଇଯିବା ପରେ ଯନ୍ତ୍ରଣା ଭୋଗୁଛନ୍ତି ସାଧାରଣ ଯାତ୍ରୀ । ପ୍ରକାଶଥାଉକି, ଚାନ୍ଦବାଲିରୁ ଜଳପଥରେ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ଧାମରାକୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ ସାହାଯ୍ୟରେ ଯାତ୍ରୀ ଓ ପଣ୍ୟଦ୍ରବ୍ୟ ପରିବହନ ହୋଇଥାଏ । ତା’ଛଡ଼ା ୨ଟି ଲଞ୍ଚ ଟୁରିଷ୍ଟ ଓ ଜରୁରୀକାଳୀନ ସେବା ନିମନ୍ତେ ବ୍ୟବହୃତ ହୋଇଥାଏ । ଏବେ ଏହସବୁ ସେବା ବନ୍ଦ ହୋଇଯାଇଛି ।

ଅନ୍ୟପଟେ ଜଳପଥ ପରିବହନ କ୍ଷେତ୍ରରେ ସରକାରଙ୍କର ବାର୍ଷିକ ରାଜସ୍ୱ ଠିକ୍ ଭାବରେ ମିଳୁନଥିଲେ ମଧ୍ୟ ଆବଶ୍ୟକ ଅନୁସାରେ ବିଭାଗ ୨୦୧୦ରୁ ଆଜି ପର୍ଯ୍ୟନ୍ତ ସେବା ଯୋଗାଇ ଆସୁଥିଲା । କିନ୍ତୁ ଏବେ ସମ୍ପୃକ୍ତ ବିଭାଗର ବଜେଟ ଅଭାବରୁ ସେବାକୁ ବାଧ୍ୟ ହୋଇ ବନ୍ଦ କରିଦିଆଯାଇଛି ବୋଲି କହୁଛନ୍ତି ବିଭାଗୀୟ କର୍ତ୍ତୁପକ୍ଷ । ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଲଞ୍ଚ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।