You are currently viewing ପୁରୀରେ ମମତା ବାନାର୍ଜୀ

ପୁରୀରେ ମମତା ବାନାର୍ଜୀ

  • Post category:ଓଡିଶା
  • Reading time:1 mins read

ପୁରୀ (ଏଏନଏସ)୨୨/୦୩, ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଅପରାହ୍ନରେ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ମମତା ବାନାର୍ଜୀ । କୌଳିକ ପଣ୍ଡା ତଥା ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର ଓ ରାଜେଶ ଦାସମହାପାତ୍ରଙ୍କ ସହିତ ସେ ଶ୍ରୀମନ୍ଦିର ଯିବେ । ଭିତରକାଠ ନିକଟରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ । ମହାପ୍ରଭୁଙ୍କୁ ଦର୍ଶନ ପରେ ବେଢ଼ା ପରିକ୍ରମା କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ମା ବିମଳା, ମା ମହାଲକ୍ଷ୍ମୀଙ୍କ ସମେତ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିବେ । ଏଥିସହ କୀର୍ତ୍ତନ ଚକଡ଼ାରେ ରହି ନୀଳଚକ୍ରରେ ଧ୍ୱଜା ପରିବର୍ତ୍ତନ ସହ ଧ୍ୱଜାବନ୍ଧାର ଅପୂର୍ବ ଦୃଶ୍ୟ ଦେଖିବେ ମମତା ବାନାର୍ଜୀ । ଶ୍ରୀମନ୍ଦିରରେ ସେ ପାଖାପାଖି ୨ ଘଣ୍ଟା ରହିବେ । ତାପୂର୍ବରୁ ଆଜି ପୂର୍ବାହ୍ନରେ ବଳିଆପଣ୍ଡା ଅଞ୍ଚଳରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା ଗେଷ୍ଟ ହାଉସ ପାଇଁ କ୍ଷେତ୍ର ପରିଦର୍ଶନ କରିବେ । ଅତିଥି ଭବନ ଓଡ଼ିଶା ସରକାର ୫ ଏକର ଜମି ଯୋଗାଇ ଦେଇଛନ୍ତି । ଆଜି ପୁରୀରେ ରାତ୍ରିଯାପନ କରିବେ ମମତା ବାନାର୍ଜୀ । ଆସନ୍ତାକାଲି ଭୁବନେଶ୍ୱର ଫେରିବେ । କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ପ୍ରମୁଖ ରାଜନୈତିକ ଦଳଙ୍କ ନଜର ରହିଛି । ଉଭୟ ନିଜ ନିଜ ରାଜ୍ୟରେ ଗୋଟିଏ ଗୋଟିଏ ଆଂଚଳିକ ଦଳର ସଫଳ ନେତୃତ୍ୱ ନେଉଛନ୍ତି । କିନ୍ତୁ ବିଜେଡି ଓ ତୃଣମୂଳ କଂଗ୍ରେସର ଲକ୍ଷ୍ୟ ଅଲଗା ଅଲଗା । ଚର୍ଚ୍ଚା ହେଉଛି ବିଜେପି ଓ କଂଗ୍ରେସକୁ ବାଦ୍‌ ଦେଇ ଏକ ଆଞ୍ଚଳିକ ଦଳର ମେଣ୍ଟ ଗଠନ କରିବାକୁ ମମତା ପ୍ରୟାସ କରୁଛନ୍ତି । ଏଭଳି ସ୍ଥିତିରେ ନବୀନ୍‌-ମମତା ସାକ୍ଷାତରେ କଣ ହେବ ତା ଉପରେ ସମସ୍ତଙ୍କ ନଜର ରହିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।