ଭୁବନେଶ୍ୱର (ଏଏନଏସ) ୧୦/୧୦, ଅର୍ଚ୍ଚନା ନାଗ ଏବେ ରାଜନେତା ଓ ରାଜଧାନୀର ବିତ୍ତଶାଳୀଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ୫ବର୍ଷରେ ୫୦ କୋଟି ଟଙ୍କା ସହ ୩ଟି କମ୍ପାନୀର ମାଲିକାନା ତଦନ୍ତକାରୀ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୩ଟି ଯାକ ରାଜନୈତିକ ଦଳର ଟାଣୁଆ ନେତାମାନେ ଏହି ନାଗୁଣୀର ଜାଲରେ କରାଇତ ହୋଇଛନ୍ତି । ନିରବତାପରେ ବାଧ୍ୟ ହୋଇ ଗଣ ମାଧ୍ୟମ ଆଗରେ ପାଟି ଖୋଲିଛନ୍ତି ଡିସିପି ପ୍ରତିକ ସିଂ । ସେ କହିଛନ୍ତି ଯେ ଅର୍ଚ୍ଚନାଙ୍କ ନାମରେ ଥିବା ସମସ୍ତ ସମ୍ପତ୍ତିର ତଦନ୍ତ କରାଯିବ । ତାଙ୍କ ନାମରେ ଥିବା ଘର, ଜମିଜମା, ବ୍ୟାଙ୍କ ବାଲାନ୍ସ ଓ କୌଣସି କମ୍ପାନୀ ଥିବ ତେବେ ତା’ର ତଦନ୍ତ କରାଯିବ । । ସାମାନ୍ୟ ବିଉଟି ପାର୍ଲରରୁ ବ୍ୟପାର ଆରମ୍ଭ କରି ଏତେ କମ୍ ସମୟ ମଧ୍ୟରେ ୨୭ ବର୍ଷର ଯୁବତୀଅର୍ଚ୍ଚନା କିଭଳି ଏତେ ବଡ ସମ୍ପତ୍ତିର ମାଲିକ ହୋଇପାରିଲା ତାହା ହିଁ ପ୍ରଶ୍ନବାଚୀ ରହିଛି ।

ପୋଲିସ ଜବତ କରିଥିବା ଅର୍ଚ୍ଚନାର ଲ୍ୟାପଟପ ,ମୋବାଇଲ ଫୋନ ଓ ଇ-ମେଲ୍ରୁ ଅନେକ ତଥ୍ୟ ପୋଲିସର ହସ୍ତଗତ ହୋଇଛି । ରାଜଧାନୀର ଏକ ସମ୍ଭାନ୍ତ ହୋଟେଲରେ ବଡବଡିଆ ଲୋକଙ୍କୁ ଫସାଇ ମୋଟା ଅଙ୍କର ଟଙ୍କା କିପରି ଡିଲ ହେଉଥିଲା ତାର ଏକ ଭିଡିଓ ସାମ୍ନାକୁ ଆସିଛି । ରହସ୍ୟମୟୀ ଅର୍ଚ୍ଚନାଙ୍କ ପାଖରେ ଏହି ଭିଡିଓରେ ଜଣେ ଯୁବତୀ ଓ ଜଣେ ପୁରୁଷ ବସିଥିବାର ନଜର ଆସିଛି ।
ହନିଟ୍ରାପରେ କବଳିତ ବଡ ବଡିଆଙ୍କ ମଧ୍ୟରେ ନେତା , ବ୍ୟବସାୟୀ, ବିଳଡର ,ଫିଲ୍ମ୍ମ ପ୍ରଯୋଜକ ଏବଂ ଉଚ୍ଚପଦସ୍ଥ ଅଧିକାରୀ ରହିଥିବାର ଜଣାପଡିଛି । ଯାହାର ସମସ୍ତ ତଥ୍ୟ ପୋଲିସ ପାଇସାରିଥିବା ବେଳେ ଏଥିରେ ସଂଶ୍ଲିଷ୍ଟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କରିବ କି ନାହିଁ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଗତ ୩ ବର୍ଷ ତଳେ ଜଣେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ଅର୍ଚ୍ଚନା ବ୍ଲାକମେଲିଂ କରି ୫ କୋଟି ଟଙ୍କା ମାଗିଥିଲେ ।

ଏହାକୁ ନେଇ ଦ୍ୱନ୍ଦ ଉପୁଯିବାରୁ ରାଜନେତା ଜଣଙ୍କ ଅର୍ଚ୍ଚନାଙ୍କ ବିରୋଧରେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ । ମାତ୍ର ସେତେବେଳେ ତାଙ୍କର ସୁରକ୍ଷା ଦେଇଥିଲେ ଜଣେ ବରିଷ୍ଠ ରାଜନେତା ।
ପରବତ୍ତୀ ସମୟରେ ଜଣେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ, ବିଷିଷ୍ଟ ଶିଳ୍ପପତି , ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କୁୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ନେଇଥିବା କୁହାଯାଉଛି । ଏପରିକି ଗତ ମେ’ ମାସରେ ଜଣେ ଯୁବ ବିଧାୟକ ଅର୍ଚ୍ଚନାଙ୍କ ଜାଲରେ ଛନ୍ଦି ହୋଇ ଯାଇଥିଲେ । ପରେ ଟଙ୍କା ନ ଦେବାରୁ ବିଧାୟକ ନାଁରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଅର୍ଚ୍ଚନାଙ୍କ ଗ୍ରାହକ ତାଲିକାରେ ଡର୍ଜନରୁ ଅଧିକ ନେତା, ବ୍ୟବସାୟୀ ,ବିଲଡର,ଅଫିସର, ଏବଂ ଫିଲ୍ମ ପ୍ରଯୋଜକ ଥିବା ପୋଲିସ ମହଲରୁ ସୂଚନା ମିଳୁଛି । ତେବେ ଦେଖିବାକୁ ବାକି ରହିଲା ପୋଲିସର ତଦନ୍ତ ଠିକ ଭାବେ ହେବ ନାଁ ରାଜନେତାଙ୍କୁ ରକ୍ଷା କରିବାକୁ ଯାଇ ତଦନ୍ତ ବାଟବଣା ହେବ ?