ପରୀ ମାମାଲରେ ନୂଆ ମୋଡ; ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୟାଗଡ, ବହୁ ଚର୍ଚ୍ଚିତ ନୟାଗଡ ଯଦୁପରର ନାବାଳିକା ପରୀ ହତ୍ୟାକାଣ୍ଡ ଘଟଣା ଯାହାକୁ ନେଇ ବେଶ୍ କିଛି ମାସ ଧରି ରାଜ୍ୟ ରାଜନୀତି ପୁରା ଉଷ୍ମ ରହିଛି । ହତ୍ୟାକାଣ୍ଡ ଘଟିବାର ୪ ମାସ ପରେ କଥା ପଦାକୁ ଆସିଥିଲା ଯେତେବେଳେ ପରୀର ବାପା ମା ନ୍ୟାୟ ପାଇଁ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହି ଖବର ଲୋକଲୋଚନକୁ ଆସିଥିଲା ଆଉ ରାଜ୍ୟ ସରକାର ଏହାକୁ ଗମ୍ଭିରତାର ସହ ବିଚାର କରିଥିଲେ । ପ୍ରଥମେ କ୍ରାଇମବ୍ରାଞ୍ଚ ଆଉ ତାପରେ ଏସଆଇଟି ତଦନ୍ତ ଘୋଷଣା କରି ଆରମ୍ଭ ହୋଇଥିଲା ତଦନ୍ତ । ଚାରିମାସ ଧରି ଯେଉଁ ତଦନ୍ତ ନିରବ ଥିଲା ହଟାତ୍ ସକ୍ରିୟ ହୋଇ ପଡିଥିଲା । ଏସଆଇଟିର ମୂଖ୍ୟ ବରିଷ୍ଠ ପୋଲିସ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଦୁଇ ସପ୍ତାହର ତଦନ୍ତ ପରେ ସରୋଜ ସେଠୀ ନାମକ ଜଣେ ‌ଯୁବକକୁ ଗିରଫ କରା ଯାଇଥିଲା ।


ପରୀର ପଡୋଶୀ ସରୋଜ ସେଠୀ ନାବାଳିକାକୁ ଧର୍ଷଣ ପରେ ହତ୍ୟା କରିଥିବା ପରି ସଙ୍ଗୀନ ଅଭିଯୋଗ ଲଗାଇଥିଲା ଏସଆଇଟି । ତଥ୍ୟ ପ୍ରମାଣକୁ ଅଧିକ ମଜଭୁତ କରିବା ପାଇଁ ସରୋଜର ଘର ପଛପଟ ପୋଖରୀରୁ ପରୀର ପିନ୍ଧା ଲେଗିନସ୍ ଉଦ୍ଧାର କରା ଯାଇଥିଲା । କିନ୍ତୁ ଏ ସମସ୍ତ କଥାକୁ ପରୀର ମା ବାପା ଅସ୍ୱିକାର କରିଛନ୍ତି । ସେମାନଙ୍କର କହିବା କଥା ଏସଆଇଟି ରାଜ୍ୟ ସରକାରଙ୍କ କଥାରେ ପରିଚାଳିତ ହେଉଛି । ଏହି ଘଟଣାରେ ଯେଉଁମାନେ ପ୍ରକୃତ ଅଭିଯୁକ୍ତ ସେମାନଙ୍କୁ ତଦନ୍ତ ପରିସରକୁ ଆଣୁନାହିଁ ବରଂ ସରକାରଙ୍କ ଛବିକୁ ସୁରକ୍ଷିତ ରଖିବା ପାଇଁ ଅଜଥା ନାଟକ ରଚନା କରି ଜଣେ ନାବାଳକକୁ ସାବାଳକ ଘୋଷଣା କରି ମୂଖ୍ୟ ଅଭିଯୁକ୍ତ ଭାବରେ ଗିରଫ କରିଛି । ବାରମ୍ବାର ସିବିଆଇ ତଦନ୍ତ ପାଇଁ ଗୁହାରୀ କରିଲେବି ତାହା ସମ୍ଭବ ନହେବାରୁ ବାଧ୍ୟହୋଇ ସୁପ୍ରିମକୋର୍ଟରେ ସିବିଆଇ ତଦନ୍ତ ପାଇଁ ଆବେଦନ କରିଛନ୍ତି ।

ଏସଆଇଟି ତଦନ୍ତରେ ସନ୍ତୁଷ୍ଠ ନହୋଇ ପରୀର ମା ସୌଦାମିନୀ ସାହୁ ମାନ୍ୟବର ସୁପ୍ରିମକୋର୍ଟରେ ଏହି ମାମାଲାର ତଦନ୍ତ ଭାର ସିବିଆଇକୁ ଦେବାପାଇଁ ଅବେଦନ କରିଛନ୍ତି । ମାନ୍ୟବର କୋର୍ଟ ସୌଦାମିନୀଙ୍କ ଆବେଦନକୁ ଗ୍ରହଣ କରିବା ପରେ ସିବିଆଇ ଏବଂ ଓଡିଶା ସରକାରଙ୍କୁ ନୋଟିସ ଜାରୀ କରିଛନ୍ତି । ଏହାକୁ ନେଇ ରାଜ୍ୟ ରାଜନୀତି ହଟାତ୍ ସରଗରମ ହୋଇଉଠିଛି । ଗୋଟିଏ ପଟେ ଏସଆଇଟି ତଦନ୍ତରେ ମାନ୍ୟବର ହାଇକୋର୍ଟ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ପରୀର ମା ସୌଦାମିନୀ ସାହୁଙ୍କ ସିବି।।ଇ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ ସମଗ୍ର ଘଟଣାକୁ ଜଟିଳ କରିଦେଇଛି । ସୁପ୍ରିମକୋଟ ରାଜ୍ୟ ସରକାରଙ୍କୁ ପରୀ ମାମାଲାରେ ନୋଟିସ୍ ଦେବା ପରେ ଏକ ଶକ୍ତ ଝଟକା ଲାଗିଲାପରି ମନେ ହେଉଛି । ପରୀର ବାପା ମା ପ୍ରଥମରୁ ଏସଆଇଟି ତଦନ୍ତକୁ ବିରୋଧ କରି ଆସୁଥିଲେ ଆଉ ଶେଷରେ ବାଧ୍ୟହୋଇ ଏହା ବିରୋଧରେ ଆବେଦନ କରିଛନ୍ତି ଯାହାକୁ ନେଇ ସରକାରଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି ।

ତେବେ ପ୍ରଶ୍ନ ଉଠୁଛି ଏସଆଇଟି ତଦନ୍ତକୁ ନେଇ ପରୀର ବାପା ମା କାହିଁକି ସନ୍ତୁଷ୍ଠ ହୋଇ ପାରୁ ନାହାନ୍ତି? ଯଦି ନିଜ ଝିଅର ହତ୍ୟାକରୀ ବୋଲି ଏସଆଇଟି ସରୋଜ ସେଠୀକୁ କହୁଛି ତାହାହେଲେ ପରୀର ବାପା ମା ଏହାକୁ ସ୍ୱିକାର କରିବାରେ ଅସୁବିଧା କେଉଁଠି? ଏଠାରେ କେତୋଟି ଘଟଣା ଏସଆଇଟି ତଦନ୍ତକୁ ନେଇ ପରୀ ବାପା ମାଙ୍କ ମନରେ ସନ୍ଦେହ ପାଇଁ ବାଧ୍ୟ କରୁଛି । ଯେପରି ୫ ମାସ ପରେ ପୋଖରୀରୁ ଲେଗିନ୍ସ ମିଳିବା ଆଉ ତାହା ପରୀର ମା ବାପାଙ୍କୁ ନଦେଖାଇବା, ପରୀର ଶବ ମିଳିବା ବେଳେ ଯେଉଁ ପୋଷାକ ଜବତ ହୋଇଥିଲା ତା ଦେହରେ ସିମେନ୍ସକୁ ଚିହ୍ନଟ କରିବା ଯାହା ପରବର୍ତୀ ସମୟରେ ଲାବରୋଟୋରୀରେ ପ୍ରମାଣିତ ହୋଇପାରି ନାହିଁ । ସବୁଠାରୁ ଅଧିକ ସନ୍ଦେହ ସୃଷ୍ଟି କରିଥିଲା ସରୋଜ ସେଠୀ ନାବାଳକ ହୋଇଥିଲେବି ତାକୁ ଜବରଦସ୍ତ ସାବାଳକ ବୋଲି ପ୍ରମାଣିତ କରାଇ ଜେଲ୍ ହାଜତକୁ ପଠାଇବା ।

ପରୀ ମାମାଲାକୁ ନେଇ ଏବେ ରାଜ୍ୟ ସରକାର ହରଡ ଘଣାରେ ପଡି ଯାଇଛନ୍ତି । ଏକଦା ଦୁର୍ନିତୀ ବା କିଛିବି ଅଭିଯୋଗ ଆସୁଥିଲେ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦେକ୍ଷପ ନେଉଥିଲେ ଏପରିକି ମନ୍ତ୍ରୀମଣ୍ଡଳରୁ ବିଦା କରିବାକୁବି ପଛାଉ ନଥିଲେ ହେଲେ ପରୀ ମାମାଲରେ ଏବେବି ନୟାଗଡ ବିଧାୟକ ତଥା ମାନ୍ୟବର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରକ୍ଷିତ ଅଛନ୍ତି । ନୟାଗଡ ହେଉ ବା ମାହାଙ୍ଗା ସବୁକଥାରେ ସରକାରଙ୍କୁୁ ବିଜେପି ଘେରିବା ଆରମ୍ଭ କରିଦେଇଛି । ଗତ ୪ ମାସ ଧରି ବିଜେପି ରାଜ୍ୟ ସରକାରଙ୍କୁ ନୟାଗଡ ଆଉ ମାହାଙ୍ଗା ମାମାଲାରେ କାଠଗଡାରେ ଠିଆ କରାଇ ଦେଇଛି । ମାମାଲା ଏବେ ସୁପ୍ରିମକୋର୍ଟରେ ପହଂଚି ସାରିଛି, ରାଜ୍ୟ ସରକାରଙ୍କୁ ମଧ୍ୟ ନୋଟିସ୍ ହୋଇଛି । ଯଦି ମାନ୍ୟବର କୋର୍ଟ ଏସଆଇଟି ତଦନ୍ତରେ ସନ୍ତୋଷ ପ୍ରକାଶ ନକରନ୍ତି ତେବେ ଏହାକୁ ସିବିଆଇକୁ ହସ୍ତାନ୍ତର କରିବା କିଛି ଅସମ୍ଭବ ନୁହେଁ ।

Leave A Reply

Your email address will not be published.