ପାରାଦ୍ୱୀପ, ପାରାଦ୍ୱୀପ ନେହୁମଙ୍ଗଳା ନିକଟ ଜଙ୍ଗଲ ରତ୍ନବଟ ନାମକ ଏକ ପୀଠରେ ପୂଜା ପାଆନ୍ତି ଜୀବନ୍ତ ଶଙ୍ଖ । ସାଧାରଣତଃ ସମସ୍ତେ ଦୋକାନ କିମ୍ବା ଠାକୁର ଗୃହରେ ଶଙ୍ଖ ଫୁଙ୍କା ହେଉଥିବାର ଦେଖିଥିବେ । ଜୀବନ ଶଙ୍ଖ ବହୁତ କମ୍ ଲୋକ ଦେଖିଥାନ୍ତି । କିନ୍ତୁ ଏହି ପୀଠରେ ଦୃଶ୍ୟମାନ ହୁଅନ୍ତି ଜୀବନ୍ତ ଶଙ୍ଖ । ଏମାନେ ଏଠାରେ କାହିଁ କେତେ କାଳରୁ ରହି ଆସୁଛନ୍ତି ବୋଲି କୁହନ୍ତି ଏଠାକାର ବାସିନ୍ଦା । ନାନା ରଙ୍ଗ ବେରଙ୍ଗର ଶଙ୍ଖ ଏଠାରେ ଦେଖିବାକୁ ମିଳନ୍ତି । ଏଠାକାର ଲୋକ ଏମାନଙ୍କୁ ଜୀବନ୍ତ ଠାକୁର କହି ପୂଜା ମଧ୍ୟ କରିଥାନ୍ତି ।

ଭୋଗ ଖାଇବାକୁ ଦିଅନ୍ତି ଏହି ଶଙ୍ଖମାନଙ୍କୁ । କିନ୍ତୁ ଆଜିଯାଏଁ କେହିବି ଜାଣିନାହାଁନ୍ତି ଏମାନେ ଏଠାରେ କେଉଁଠି ରୁହନ୍ତି । ୫ଟି ବଟ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ବଟ ହେଉଛି ଏହି ରତ୍ନବଟ । ଏଠାରେ ଭଗବାନ ଶିବ, ହନୁମାନ, ବନଦୂର୍ଗା ଓ ପ୍ରଭୁ ଜଗନ୍ନାଥ ପୂଜା ପାଆନ୍ତି । ପୀଠରେ ଅନେକ ସମୟରେ ହୋମ ଯଜ୍ଞ ହୋଇଥାଏ । ଘଣ୍ଟ ଓ ମୃଦଙ୍ଗର ଶବ୍ଦ ଶୁଣି ବଟଗଛର ବୃକ୍ଷ ତଳୁ ବାହାରନ୍ତି ଜୀବନ୍ତ ଶଙ୍ଖ । ଭକ୍ତମାନେ ବିଭିନ୍ନ ମାନସିକ କରି ଏଠାକୁ ଆସି ଶଙ୍ଖକୁ ପୂଜା କରିଥାନ୍ତି ।