You are currently viewing ଦାଗ ଲିଭେଇବାକୁ ଚେଷ୍ଟା କରୁଛି କଂଗ୍ରେସ

ଦାଗ ଲିଭେଇବାକୁ ଚେଷ୍ଟା କରୁଛି କଂଗ୍ରେସ

ନୟାଗଡର ଶିଶୁ କନ୍ୟା ପରୀ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଗତ ବିଧାନସଭାର ଶୀତ ଅଧିବେଶନ ମଧ୍ୟ ଏଥିରୁ ବାଦ ଯାଇନାହିଁ । ପରିସ୍ଥିତି ଏପରି ହୋଇଥିଲା ଧାର୍ଯ୍ୟ ୩୦ ଦିନ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି । ପରୀ ପ୍ରସଙ୍ଗ ନେଇ ବିଧାନସଭାରେ ଆଲେଚନା ସରଗରମ ଥିଲା ବେଳେ ହଠାତ ସରକାରଙ୍କ ପ୍ରତି ନରମ ଭାବ ପ୍ରଦର୍ଶନ କରିଥିଲା କଂଗ୍ରେସ । ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତାଙ୍କ ବକ୍ତବ୍ୟ ଓ ବିଧାନସଭା ବାହାରେ କଂଗ୍ରେସ ଦଳର ବରିଷ୍ଠ ବିଧାୟକ ମାନଙ୍କର ବକ୍ତବ୍ୟକୁ ନଜର କଲେ କେଉଁଠି ନା କେଉଁଠି ସରକାରଙ୍କ ସହ ଦଳ ହାତ ମିଳାଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଲା । ଦଳ ଉପରେ ରାଜ୍ୟବାସୀଙ୍କ ତରଫରୁ ହୋଇଥିବା ଏହି ଆରୋପକୁ ଲକ୍ଷ୍ୟ କରି ଦଳ ଉପରେ ଲାଗିଥିବା କାଳିମାର ଛିଟାକୁ ଲିଭେଇବା ପାଇଁ ଆଜି କଂଗ୍ରେସ ଦଳର ଓଡିଶା ପ୍ରଭାରୀ ଡକ୍ଟର ଚେଲା କୁମାରଙ୍କ ସହିତ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ପ୍ରଦୀପ ମାଝି, କଂଗ୍ରେସ ବିଧାୟକ ଦଳର ନେତା ନରସିଂଘ ମିଶ୍ର, ତାରା ବାହିନୀ ପତି ଏବଂ ନୟାଗଡ ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ନିଶିକାନ୍ତ ମିଶ୍ରଙ୍କ ସହ ଜିଲ୍ଲା ସଭାପତି ରଞ୍ଜିତ ଦାସ ପରୀର ଗ୍ରାମକୁ ଯାଇ ପରୀ ହତ୍ୟା ସଂପର୍କରେ ତାଙ୍କ ପରିବାର ସହ ଆଲୋଚନା କରିଥିଲେ । ପରୀକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଦଳ ଦାବିରୁ ଓହରି ଯିବ ନାହିଁ ବୋଲି ଦଳର ନେତା ମାନେ ଗଣମାଧ୍ୟମରେ ବକ୍ତବ୍ୟ ରଖିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ଆଡଭୋକେଟ ରଞ୍ଜିତ ଦାସ ପରୀ ହତ୍ୟାର ନିରପେକ୍ଷ ତଦନ୍ତ ଦାବି ନେଇ ଦୀର୍ଘ ଚାରିମାସ ହେଲା ନୟାଗଡ ଜିଲ୍ଲାରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କଂଗ୍ରେସ ଦଳ ଉପରେ ଲାଗିଥିବା କଳାଦାଗ ଲିଭେଇବାରେ ରାଜ୍ୟ ନେତୃତ୍ୱ କେତେ ସ କ୍ଷମ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।