You are currently viewing କଂଗ୍ରେସର ପିଛା ଛାଡୁନି ବିବାଦ

କଂଗ୍ରେସର ପିଛା ଛାଡୁନି ବିବାଦ

ଭୁବନେଶ୍ୱର, ଓଡିଶାରେ ଦୀର୍ଘ ବର୍ଷ ଧରି ଶାସନରେ ଥିବା କଂଗ୍ରେସ ଦଳ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନ ହେଉ କିମ୍ବା ବିଭିନ୍ନ ସ୍ଥାନରେ ହେଉଥିବା ଉପନିର୍ବାଚନକୁ ନେଇ ଦଳ ଓ ଏହାର ନେତା ମାନେ ସବୁବେଳେ ଚର୍ଚ୍ଚାରେ ରହିଆସିଥାନ୍ତି । ନିକଟ ଅତୀତରେ ହୋଇଥିବା ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଓ ଏହାକୁ ନେଇ ନିଜ ଭିତରେ କାଦୁଅ ଫୋପଡାଫୋପଡି ଲୋକଲୋଚନରୁ ହଟିନଥିବା ବେଳେ ବିଧାନସଭାର ଶୀତ ଅଧିବେଶନ ସମୟରେ କଂଗ୍ରେସ ଦଳର ପଳାୟନ ପନ୍ଥୀ ନୀତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାଜ୍ୟବାସୀ । ଧାର୍ଯ୍ୟ ୩୦ ଦିନ ପୂର୍ବରୁ ବିଧାନସଭା ଅଧିବେଶନ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହାର ଶ୍ରେୟ କଂଗ୍ରେସ ଦଳ ନିକଟକୁ ଗଲା ନାହିଁ । ନୟାଗଡର ଶିଶୁ ପରୀ ମୃତ୍ୟୁକୁ ନେଇ ବିଧାନସଭା ଗୃହରେ ଉଭୟ ବିଜେପି ଓ କଂଗ୍ରେସ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା, ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ଲାଗି ଅଡି ବସିଲେ ଯଦ୍ୱାରା ଗୃହକୁ ବାରମ୍ବାର ମୁଲତବି କରିବାକୁ ପଡିଲା । ତେବେ ଶେଷଅବସ୍ଥାରେ ବିଧାନସଭା ପରିସ୍ଥିତି ଏଭଳି ହେଲା କଂଗ୍ରେସ ଦଳ ଗୃହରୁ ଉଠାଇଥିବା ପ୍ରଶ୍ନରୁ ଓହରିଆସିଲା ଓ ଏସଆଇଟି ତଦନ୍ତ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ ହେବ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ପ୍ରସ୍ତାବ ଦେଇଥିବାକୁ ଆଳ କରି କଂଗ୍ରେସ ଦଳ ନୀରବ ରହିଲା । କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ଭଲଭାବେ ଜାଣିଥିଲେ ଯେ, କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ଏସଆଇଟି ତଦନ୍ତ କରିବା ସମ୍ଭବପର ନୁହେଁ କାରଣ ସୁପ୍ରିମକୋର୍ଟ ଅତୀତରେ ହୋଇଥିବା ଏଭଳି ଏକ ମାମଲାକୁ ଖାରଜ କରିଦେଇଥିଲେ । ବିଜେପି ଦଳ ବିଧାନସଭା ଅଧିବେଶନ ଶେଷ ଦିନ ଗାନ୍ଧୀ ମୂର୍ତ୍ତି ପାଖରେ ଧାରଣାରେ ବସିଲେ । ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବି କଲେ । ବିଜେପି ଏହାର ଶ୍ରେୟ ନେବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ଦଳର ବରିଷ୍ଟ ବିଧାୟକ ସୁର ରାଉତରାୟ ଓ ସନ୍ତୋଷ ସିଂ ସାଲୁଜା କଂଗ୍ରେସ ଦଳ ବିଧାନସଭାରେ ‘ମ୍ୟାନେଜ’ ହୋଇଗଲା ବୋଲି କହି ରାଜ୍ୟବାସୀଙ୍କ ମନରେ କଂଗ୍ରେସ ପ୍ରତି ସନ୍ଦେହକୁ ଦୁଇଗୁଣା କରିଦେଲେ । ରାଜ୍ୟବାସୀ ଭାବିଲେ ଯେ, ବୋଧୁଏ କଂଗ୍ରେସ ଦଳ ପରୀକୁ ନ୍ୟାୟ ମିଳୁ ଏହା ଚାହୁଁନାହାନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଦୀର୍ଘ ବର୍ଷ ଧରି ଦେଶ ଓ ରାଜ୍ୟର ଶାସନଭାର ଗ୍ରହଣ କରିଥିବା କଂଗ୍ରେସ ଦଳର ଏଭଳି ଅବସ୍ଥା କ’ଣ ପାଇଁ ନିଜ ନିଜ ଭିତରେ କ୍ଷମତା ଲୋଭ ନା ଶାସକ ଦଳ ଦ୍ୱାରା ଏମାନେ ପରିଚାଳିତ । ଦେଖିବାକୁ ବାକି ରହିଲା ଏହି କଂଗ୍ରେସ ଦଳର କେବେ ସୁବୁଦ୍ଧି ଫେରିବ ଓ ରାଜ୍ୟ ବାସୀଙ୍କର ଆସ୍ଥା ଭାଜନ ହେବାରେ ସମର୍ଥ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।