ଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋ

ଭୁବନେଶ୍ୱର (ଏ ଏନ୍ ଏସ)୦୮/୦୭, ସହରରେ ଗାଁ ଆମ୍ବର ପସରା । ଓରମାସ ପକ୍ଷରୁ ଆଜି ଗାଁ ଆମ୍ବ ପସରା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ୧୩ ତାରିଖ ପର୍ଯ୍ୟନ୍ତ ଏହି ଆମ୍ବ ବଜାର ଚାଲିବାକୁ ଥିବା ବେଳେ କାର୍ଯ୍ୟକ୍ରମକୁ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଛନ୍ତି । ଏହି ଅବସରରେ ଓଡ଼ିଶା ଆମ୍ବ ଲୋଗୋ ମଧ୍ୟ ଉନ୍ମୋଚନ ହୋଇଯାଇଛି । ରାଜଧାନୀବାସୀଙ୍କୁ ଚାଷୀ ବଗିଚାର ତାଜା ଆମ୍ବ ଯୋଗାଇ ଦେବା ପାଇଁ ଓରମାସ ପକ୍ଷରୁ ମ୍ୟାଙ୍ଗୋ ଅନ୍ ହ୍ୱିଲ ରାଜଧାନୀରେ ଗଡ଼ିଛି । ୭ଟି ଜିଲ୍ଲାର ଚାଷୀଙ୍କ ବଗିଚାର ଆମ୍ବ ଏହି ମେଳାରେ ମିଳୁଛି । ୬୦ ଟଙ୍କାରୁ ଆରମ୍ଭ କରି ୧୨୦ ଟଙ୍କା ରହିଛି ଆମ୍ବର ଦର । ଦଶେରୀ, ହେମ ସାଗର, ଲେଙ୍ଗଡା, ଆମ୍ବଲ ପଲ୍ଲୀ, ସୁନ୍ଦରୀ, ଅଲ୍ପାନୋସ, ମଲ୍ଲୀକା ଏବଂ ଦେଶୀ ଆମ୍ବ ପସରା ଗୋଟିଏ ସ୍ଥାନରେ ମିଳୁଛି ।ପରିବେଶ ସୁରକ୍ଷା ସହ ପଲିଥିନ ବ୍ୟବହାର ନକରିବା ପାଇଁ ଓରମାସ ତରଫରୁ କପଡ଼ା ବ୍ୟାଗ ଏବଂ ଝୋଟ ବ୍ୟାଗର ବ୍ୟବସ୍ଥା କରାଯାଇଛି । ଜାତୀୟ ବଜାରରେ ସ୍ୱାଦିଷ୍ଟ ଆମ୍ବ ଉପଲବ୍ଧ କରାଇବା ପାଇଁ ଓରମାସ, ମଦର ଡାଏରୀ, ନାଫେଡ ଓ ରିଲାଏନ୍ସ ସହିତ ସ୍ଥାନୀୟ ଆମ୍ବ ଚାଷୀଙ୍କ ଚୁକ୍ତିନାମା କରି ସେମାନଙ୍କୁ ଓଡ଼ିଶା ଆମ୍ବ ଯୋଗାଇ ଦେଉଛି । ସକାଳ ୮ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଷ୍ଟଲ ଖୋଲା ରହିବ ।

Leave A Reply

Your email address will not be published.