ଏଏନଏସ : ଭିଜିଲାନ୍ସ ହାତରେ ଗଞ୍ଜାମ ଜିଲ୍ଲାର ୨ ସରକାରୀ ବାବୁ । ଘରବାଡ଼ି ପଟ୍ଟା କରେଇ ଦେବାକୁ ୫ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଏହି ଦୁଇ ସରକାରୀ ବାବୁ ହେଉଛନ୍ତି ଜିଲ୍ଲା ସାନଖେମୁଣ୍ଡି ତହସିଲ ପୋଡ଼ାମାରିର ଆରଆଇ ଆଦିତ୍ୟ କୁମାର ସେନାପତି ଏବଂ ଏଆରଆଇ ଟିଟୁ ସେଠି ।
ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ତହସିଲ ପୋଡ଼ାମାରିର ଆରଆଇ ଏବଂ ଏଆରଆଇ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି। ଉକ୍ତ ଗ୍ରାମର ବାଳକୃଷ୍ଣ ପଣ୍ଡା ନିଜ ଘରବାଡ଼ି ପଟ୍ଟା ପାଇଁ ପୋଡ଼ାମାରି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ତାଙ୍କୁ ଏହି ସବୁ କାମ ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ। ଆଉ ୧୦ ହଜାର ନ ହେଲେ କାମ ହେବନି ବୋଲି ବି ରୋକଠୋକ ଶୁଣାଇଦେଲେ। ମାତ୍ର ବହୁ ମୁଲଚାଲ ପରେ ଶେଷରେ ୫ ହଜାରରେ କଥା ଛିଣ୍ଡିଲା। ଏହାକୁ ନେଇ ବାଳକୃଷ୍ଣ ଭିଜିଲାନ୍ସକୁ ଖବର ଦେଇଥିଲେ। ଯୋଜନା ମୁତାବକ ଆଜି ସକାଳେ ବାଳକୃଷ୍ଣ ଲାଞ୍ଚ ଟଙ୍କା ଦେବା ନିମନ୍ତେ ଉଭୟ ଆଦିତ୍ୟ କୁମାର ଓ ଟିଟୁ ସେଠିଙ୍କୁ ପୋଡ଼ାମାରିର ବସଷ୍ଟାଣ୍ଡ ନିକଟକୁ ଡକାଇଥିଲେ। ସେଠାରେ ଉଭୟ ପହଞ୍ଚିବା ପରେ ବାଳକୃଷ୍ଣ ସେମାନଙ୍କୁ ଟଙ୍କା ଦେଇଥିଲେ। ଏହାପରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀ ଉଭୟଙ୍କୁ କାବୁ କରି ନେଇଛନ୍ତି। ଉଭୟଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଉଠାଇ ନେଇ ଅଧିକ ପଚରାଉଚରା କରାଯାଉଛି।