You are currently viewing ସକାଳୁ ସକାଳୁ ଗୋପାଳ ଘରେ କ୍ରାଇମବ୍ରାଞ୍ଚ ଟିମ୍

ସକାଳୁ ସକାଳୁ ଗୋପାଳ ଘରେ କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର(ଏଏନଏସ)୦୪/୦୨, ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ୬ ଦିନ ବିତିଛି । ମୃତ୍ୟୁ ମାମଲାରେ ତଦନ୍ତ ଜାରି ରହିଛି । ସମୟ ଗଡ଼ିଚାଲିଛି । କିନ୍ତୁ କ୍ରାଇମବ୍ରାଞ୍ଚ ମାମଲାର ମୂଳରେ ପହଞ୍ଚି ପାରିନାହିଁ । ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ହତ୍ୟା ଷଡ଼ଯନ୍ତ୍ରର ରହସ୍ୟ ଖୋଲିପାରେ ବହିଷ୍କୃତ ଏଏସଆଇ ଗୋପାଳ କୃଷ୍ଣଙ୍କ ଡାଏରୀ । କ୍ରାଇମ୍ବ୍ରାଞ୍ଚ ତଦନ୍ତର ୩ୟ ଦିନରେ ଶୁକ୍ରବାର ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳ ଦାସ ରହୁଥିବା କ୍ୱାର୍ଟରରୁ ଡାଏରି ପାଇଛି । ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । କ୍ରାଇମବ୍ରାଞ୍ଚ କହିଛି ଯେ, ଗୋପାଳଙ୍କ ବନ୍ଦ ଥିବା ସରକାରୀ କ୍ୱାର୍ଟର୍ସ ଯାଞ୍ଚ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜାତ ସହ ଏକ ଡାଏରୀ ମିଳିଛି । ଏହାକୁ କ୍ରାଇମବ୍ରାଞ୍ଚ ଅଫିସର ଯାଞ୍ଚ କରୁଛନ୍ତି ।

ଅନ୍ୟପଟେ ଗୋପାଳ ମନରେ କ’ଣ ଭାବି ମନ୍ତ୍ରୀଙ୍କୁ ହତ୍ୟା କଲା, ତାହା ପ୍ରଭୁ ଜଗନ୍ନାଥଙ୍କୁ ଜଣା ବୋଲି ଡିଜିପି ସୁନୀଲ ବଂଶଲ କହିଛନ୍ତି । ସେହିପରି ପାଇଖାନା ଟାଙ୍କିରୁ ମିଳିଥିବା ୨୨ ଖଣ୍ଡ ଟୁକୁଡା କାଗଜକୁ ଗୋପାଳ ଚିହ୍ନଟ କରିଛି । ହାତଲେଖା ତାର ବୋଲି ମଧ୍ୟ କହିଛି । ଟୁକୁଡା କାଗଜକୁ ଯୋଡ଼ି ରହସ୍ୟ କାଢ଼ିବାକୁ ହ୍ୟାଣ୍ଡରାଇଟିଂ ବିଶେଷଜ୍ଞ ଉଦ୍ୟମ କରିଛନ୍ତି । ଗୋପାଳର ହାତଲେଖା କି ନୁହେଁ, ସ୍ପଷ୍ଟ ହେବାକୁ ପରୀକ୍ଷା ପାଇଁ ପଠାଯିବ । ଅନ୍ୟପଟେ ଆଜି ସକାଳୁ ସକାଳୁ ଗୋପାଳର ଆଙ୍କୁଲି ସ୍ଥିତ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ଗୋପାଳର ପତ୍ନୀ ଓ ପୁତୁରାକୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା ଆରମ୍ଭ କରିଛି । ପୂର୍ବରୁ ଗୋପାଳର ବଡ଼ ଭାଇଙ୍କୁ ଜେରା କରି ଛାଡ଼ିଥିଲା କ୍ରାଇମବ୍ରାଞ୍ଚ । ତେବେ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟା କଲା, ସେନେଇ ଏଯାବତ୍ କାରଣ ଅସ୍ପଷ୍ଟ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।