ଦେଶର ଜଣାଶୁଣା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରତିଦିନ କିଛି ନା କିଛି ପୋଷ୍ଟ କରିଥାନ୍ତି ଯାହାକୁ ଦେଖିବା ପରେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଯାଏ । ବର୍ତ୍ତମାନ ସେ ଏପରି ଏକ ଭିଡିଓ ଟ୍ୱିଟ୍ କରିଛନ୍ତି, ଯାହା ଦେଖି ଆପଣ ଚକିତ ହୋଇଯିବେ। ଏବେ ସେ ଏକ ଭ୍ରାମ୍ୟମାଣ ବିବାହ ମଣ୍ଡପର ଭିଡିଓକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଏକ ଟ୍ରକ୍ ଉପରେ ସେହି ବିବାହ ମଣ୍ଡପ ରହିଛି। ଏପରିକି ବାହ ମଣ୍ଡପ ପହଞ୍ଚି ଯିବ ଆପଣଙ୍କ ଘର ପାଖରେ । ଯେମିତି ଆକର୍ଷଣୀୟ ସେମିତି ଅତ୍ୟାଧୁନିକ। ମାନେ ବାହା ବେଦୀଠାରୁ ଆରମ୍ଭ କରି ରିସେପସନ ହଲ, ଡାଇନିଂ ହଲ ସବୁ ଏହି ମଣ୍ଡପରେ ରହିଛି। ବିବାହ ମଣ୍ଡପ ଟ୍ରକ୍ରେ ଆସିବ ଆଉ ଲାଗିବ ଆପଣଙ୍କ ଘର ସାମ୍ନାରେ । ସୋସିଆଲ ମିଡିଆରେ ଏମିତି କିଛି ଭିଡ଼ିଓ ଘୂରି ବୁଲୁଛି। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହା କିପରି ସମ୍ଭବ। ଏହି ଭିଡିଓରେ ଦେଖାଯାଇଛି ଯେ ଟ୍ରକ୍ର ପଛ ପାର୍ଶ୍ବରେ ରହିଛି ଏକ ୪୦ ମିଟର ଲମ୍ବା କଣ୍ଟେନର। ସେହି କେଣ୍ଟନରକୁ ଖୋଲି ୩୦ ଫୁଟ ଚଉଡ଼ା କରାଯାଇପାରୁଛି। ସମ୍ପୂର୍ଣ୍ଣ ରୂପେ ଖୋଲି ତାହାକୁ ବିବାହ ମଣ୍ଡପରେ ପରିଣତ କରିବା ପରେ ତାହା ଏକ ୧୨୦୦ ବର୍ଗଫୁଟର ମଣ୍ଡପ ସହ ସମାନ ହେଉଛି। ଏହି ବିବାହ ମଣ୍ଡପରେ ରହିଛି ଖୁବ ସୁନ୍ଦର ମ୍ୟାରେଜ ହଲ। ଆକର୍ଷଣୀୟ ଆଲୋକମାଳାରେ ଏହା ସଜା ଯାଇଛି। ଡାଇନିଂ ହଲରେ ବି ପଡିଛି ଚେୟାର, ଟେବୁଲ। ସଫେଦ କଭର ଆଚ୍ଛାଦିତ କରାଯାଇଛି। ଏହି ହଲ୍ରେ ଏକ ସମୟରେ ଅତି କମ୍ରେ ୨୦୦ରୁ ଅଧିକ ଲୋକ ରହିପାରିବେ। ଏହାବ୍ୟତୀତ ହଲ ଭିତରେ ବିଭିନ୍ନ କାର୍ଯ୍ୟକ୍ରମ ବି କରାଯାଇ ପାରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି।

ଏଭଳି ଚମତ୍କାର ଚିନ୍ତାଧାରାକୁ ନେଇ ବିବାହ ମଣ୍ଡପ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କୁ ଭେଟିବା ପାଇଁ ମହିନ୍ଦ୍ରା ଆଗ୍ରହ ପ୍ରକାଶ କରିଛନ୍ତି। ଟ୍ରକରେ ବୁଲୁଥିବା ବିବାହ ମଣ୍ଡପର ବଡ଼ ଆକର୍ଷଣ ହେଉଛି ତାହା ପରିବେଶ ପାଇଁ ବି ଉତ୍ତମ। ଜନସଂଖ୍ୟା ବହୁଳ ଦେଶ ଭାରତରେ ସ୍ଥାନାଭାବ ସମସ୍ୟା ଥିବା ବେଳେ ଏହା ଏକ ସ୍ଥାୟୀ ସମାଧାନ ବୋଲି ମହିନ୍ଦ୍ରା କହିଛନ୍ତି। ସେ ନିଜ ଟୁଇଟର ହାଣ୍ଡେଲରେ ଲେଖିଛନ୍ତି, ‘ଏପରି ପରିକଳ୍ପନା କରିଥିବା ବ୍ୟକ୍ତିଙ୍କ ସହ ମୁଁ ସାକ୍ଷାତ କରିବାକୁ ଚାହୁଁଛି। ଏହି ଭ୍ରାମ୍ୟମାଣ ବିବାହ ମଣ୍ଡପ ଯୋଗୁ ଗ୍ରାମାଞ୍ଚଳ ଲୋକଙ୍କର ବି ସମସ୍ୟା ଦୂର ହୋଇ ପାରିବ।’ ଭିଡିଓଟି ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଭୁୟର୍ସ ବି ଖୁବ ମଜାଦାର କମେଣ୍ଟ ଦେଇଛନ୍ତି। ତେବେ କହିବାକୁ ଗଲେ ବାହାଘର ତାରିଖ ଧାର୍ଯ୍ୟ ହେବା ପୂର୍ବରୁ ବଡ ଚିନ୍ତା ହେଉଛି ବିବାହ ମଣ୍ଡପଟିଏ ଯୋଗାଡ଼ କରିବା । ବିବାହ ମଣ୍ଡପଟିଏ ପାଇବା ପାଇଁ ଏତେ ଭିଡ ଯେ, ୬ ମାସ ପୂର୍ବରୁ ଲାଇନ ଲଗାଇବାକୁ ପଡ଼ୁଛି। ଆଜିକାଲି ବିବାହ ମଣ୍ଡପ ଧାର୍ଯ୍ୟ ହେବା ପରେ ହିଁ ବାହାଘର ତିଥି ଠିକ କରାଯାଉଛି । ତେବେ ଆନନ୍ଦ ମହିନ୍ଦ୍ରାଙ୍କ ଏହି ଅଭିନବ ଚିନ୍ତାଧାରାକୁ ପ୍ରଶଂସା କରୁଛନ୍ତି ଲୋକେ।