You are currently viewing ତୁଳସୀ ଗଛର ଉଚ୍ଚତା ୬୦ ଫୁଟ

ତୁଳସୀ ଗଛର ଉଚ୍ଚତା ୬୦ ଫୁଟ

ତୁଳସୀ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଭାରତୀୟ ଜନଜୀବନ ସହିତ ଅତି ପରିଚିତ । ଏହା ଭାରତରେ ସର୍ବତ୍ର ଦେଖିବାକୁ ମିଳେ । ଏହା ସାତ ପ୍ରକାରର ହୋଇଥିଲେ ବି ପତ୍ରର ରଙ୍ଗକୁ ନେଇ ଧଳା ଓ କଳା ଭେଦରେ ଦୁଇଟି ଜାତି ପ୍ରଧାନ ଅଟେ । ଶ୍ୱେତ ତୁଳସୀର ପତ୍ରଗୁଡ଼ିକ ହାଲୁକା ରଙ୍ଗର ଥାଏ ଏହାକୁ କେହି କେହି ‘ଗୌରୀ ତୁଳସୀ’ ମଧ୍ୟ କହିଥାନ୍ତି । କୃଷ୍ଣ ତୁଳସୀ ପତ୍ରଗୁଡ଼ିକ ଗାଢ଼ କଳା । ଏହା ବ୍ୟତୀତ ବଣ ତୁଳସୀ ନାମକ ଆଉ ଏକ ଜାତି ରହିଛି । ଔଷଧୀୟ ବ୍ୟବହାର ପାଇଁ ତୁଳସୀ ମୁଖ୍ୟତଃ କାମରେ ଲାଗିଥାଏ । କିନ୍ତୁ ସାଲେପୁର ବ୍ଲକ୍ ବାଲିସାହି ପଞ୍ଚାୟତର ଚିତ୍ରୋତ୍ପଳା ନଦୀପଠାରେ ଦୋବନ୍ଧି ନିକଟରେ ରହିଛି ଏକ ଅଦ୍ଭୁତ ତୁଳସୀ ଗଛ। ଲୋକମୁଖରେ ଯାହାର ନାଁ ରହିଛି ଗଙ୍ଗା-ତୁଳସୀ, ଗୁପ୍ତ-ତୁଳସୀ ବା ‘ସତ୍ୟଯୁଗର ତୁଳସୀ’ । ଗଛଟି ୬୦ ଫୁଟ୍ ଉଚ୍ଚ, ଗୋଲେଇ ୧୦ ଫୁଟରୁ ଅଧିକ ହେବ ବୋଲି କୁହାଯାଉଛି।

ଏହି ଝଙ୍କାଳିଆ ଗଛରେ ୧୦ରୁ ଅଧିକ ଶାଖାରେ ବର୍ଷସାରା ପତ୍ରଭର୍ତ୍ତି ହୋଇ ରହିଥାଏ । ଆଶ୍ଚର୍ଯ୍ୟର କଥା ହେଲା ଯେ ଗଛର ପତ୍ର ଅବିକଳ ତୁଳସୀ ପତ୍ର ଭଳି। କିନ୍ତୁ ସେଥିରୁ ତୁଳସୀର ବାସ୍ନା ବାହାରେ ନାହିଁ । ସେଠାକାର ଲୋକ ବିଶ୍ଵାସ ଓ ଜନଶ୍ରୁତି ରହିଛି କି’ ଇଏ ହେଉଛି ସତ୍ୟଯୁଗର ତୁଳସୀ। ଯାହା ଏବେ ଗୁପ୍ତ ବା ଲୁକ୍କାୟିତ ଅବସ୍ଥାରେ ରହିଛି ଓ ସେଥିପାଇଁ ବାସ୍ନାହୀନ ହୋଇଯାଇଛି। କଳିଯୁଗ ସରି ସତ୍ୟଯୁଗ ଆସିଲେ ଏଥିରୁ ଆପଣାଛାଏଁ ବାସ୍ନା ବାହାରିବ। ସାଧାରଣ ତୁଳସୀ ଗଛର ଉଚ୍ଚତା ଅତି ବେଶୀରେ ତିନି ବା ଚାରି ଫୁଟ୍ ଭିତରେ ରହୁଥିବା ବେଳେ ଏଭଳି ବିଶାଳକାୟ ତୁଳସୀ ବୃକ୍ଷ ଏକ ବିସ୍ମୟ ଓ ଅଲୌକିକ ବୋଲି ଅନେକ ମତ ଦିଅନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ୧୯୯୯ ମହାବାତ୍ୟା ପୂର୍ବରୁ ଏଠାରେ ଥିବା ମୂଳ ତୁଳସୀ ଗଛଟି ଆକାରରେ ଥିଲା ଆହୁରି ବିଶାଳକାୟ । ବାତ୍ୟାରେ ମୁଖ୍ୟ ଗଛଟି ଉପୁଡ଼ିଯିବା ପରେ ଏବେ କେବଳ ଝଙ୍କାଳିଆ ଶାଖା ଗଛଟି ରହିଛି। ଆଖପାଖ ଗାଁର ଲୋକେ ଏ ଗଛକୁ, ଗଛର ପତ୍ରକୁ ପବିତ୍ର ମଣନ୍ତି, ତୁଳସୀର ଦିବ୍ୟ ମର୍ଯ୍ୟାଦା ଦିଅନ୍ତି, ମଝିରେ ମଝିରେ ଗଛ ମୂଳେ ପାଣି ଢାଳି ପୂଜାର୍ଚ୍ଚନା କରିଥାନ୍ତି । ବିଭିନ୍ନ ସମୟରେ ଭକ୍ତମାନେ ଏହି ଗଛ ମୂଳେ ଭଜନ, କୀର୍ତ୍ତନ, ରାହାସ, ମାଳିକା ପାଠ ଆଦି କରିଥାନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।