You are currently viewing ସମୁଦ୍ର ମଝିରେ ରେଳଯାତ୍ରା

ସମୁଦ୍ର ମଝିରେ ରେଳଯାତ୍ରା

ଭାରତୀୟ ରେଲୱେ ତାର ବିଶାଳ ନେଟୱର୍କ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଛି । ଦେଶରେ ଏଭଳି ଅନେକ ରେଲୱେ ଟ୍ରାକ ରହିଛି ଯାହାର ଅନେକଗୁଡ଼ିଏ ରହସ୍ୟ ମଧ୍ୟ ରହିଛି । ତେବେ ଆଜି ଆମେ ଏମିତି ଏକ ରେଲୱେ ଟ୍ରାକ୍ ସମ୍ପର୍କରେ କହିବାକୁ ଯାଉଛୁ ଯାହାକି ସମୁଦ୍ର ମଝି ଦେଇ ଯାଇଛି । ଆଉ ଆପଣଙ୍କୁ ଏମିତି ଲାଗିବ କି, ଯେମିତି ଟ୍ରେନଟି ପାଣି ଉପରେ ଚାଲୁଛି । ଅନ୍ୟ କେଉଁଠି ନୁହେଁ ବରଂ ଭାରତ ବର୍ଷରେ ରହିଛି ଏଭଳି ରେଲୱେ ଟ୍ରାକ୍ । ତେବେ ଆସନ୍ତୁ ନଜର ପକାଇବା ଏହି ବ୍ରିଜ୍ ଉପରେ ଆଉ ଜାଣିବା ରୋମାଂଚକର ରେଳଯାତ୍ରା ସମ୍ପର୍କରେ..

ରାମେଶ୍ୱରମ ପମ୍ବାନ ରେଲୱେ ବ୍ରିଜ୍ । ତାମିଲନାଡ଼ୁରେ ଅବସ୍ଥିତ ଏହି ବ୍ରିଜ୍ ଉପରେ ରେଲୱେ ଯାତ୍ରା କରିବା ଲାଗି ଅନେକ ଯାତ୍ରୀ ଭୟ କରିଥାନ୍ତି । କିନ୍ତୁ ଏଭଳି ଅନେକ ଯାତ୍ରୀ ରହିଛନ୍ତି ଯେଉଁମାନେ କି ଏଠାକୁ ଆସି ମଜା ଉଠାଇଥାନ୍ତି । କାହିଁକି ନାଁ ଆପଣ ଯେତେବେଳେ ରେଳଯାତ୍ରା କରିଥାନ୍ତି ସେତେବେଳେ ଉଭୟ ପାଶ୍ୱର୍ରେ ଖୋଲା ପଡ଼ିଆ କିମ୍ବା ଚାଷ ଜମି ଦେଖିବାକୁ ପାଇଥାନ୍ତି ।

କିନ୍ତୁ ରାମେଶ୍ୱରମ ପମ୍ବାନ ବ୍ରିଜ୍ ଉପରେ ଯାତ୍ରା କରିବାବେଳେ ଉଭୟ ପାଶ୍ୱର୍କୁ ଯଦି ଚାହିଁବେ ଖାଲି ପାଣି ଆଉ ପାଣି ଦେଖିବାକୁ ପାଇବେ । ଏପରକି ସମୁଦ୍ରର ଜୁଆର ରେଲୱେ ଟ୍ରାକକୁ ମଧ୍ୟ ଛୁଉୁଁଥିବା ଦେଖିବାକୁ ମିଳିଥାଏ । ଯାହାକୁ ଦେଖି ଅନେକ ଯାତ୍ରୀମାନେ ଭୟ କରିଥାନ୍ତି । ପାଖାପାଖି ଶହେ ବର୍ଷରୁ ଅଧିକ ପୁରୁଣା ଏହି ବ୍ରିଜଟି ୧୪୭ଟି ସ୍ତମ୍ଭ ଉପରେ ରହିଥିବାବେଳେ ୨.୨ କିଲୋମିଟର ପର୍ଯ୍ୟନ୍ତ ବ୍ରିଜଟି ଅବସ୍ଥିତ ଅଟେ । ସମୁଦ୍ର ମଝି ଦେଇ ଏହି ବ୍ରିଜ୍ ଉପରେ ଟ୍ରାକ ଯାଇଥିବାରୁ ଦେଖିବାକୁ ଅଧିକ ସୁନ୍ଦର ଲାଗିଥାଏ । ଏଣୁ ଏହାର ମଜା ଉଠାଇବା ଲାଗି ବହୁଯାତ୍ରୀ ଆସିଥାନ୍ତି । ଅନ୍ୟପଟେ ରାମନାଥସ୍ୱାମୀଙ୍କ ଦର୍ଶନ କରିବା ଲାଗି ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ । ଏହି ବ୍ୱ୍ରିଜ୍ ଦେଇ ମନ୍ଦିରକୁ ଯାଇଥାନ୍ତି ଶ୍ରଦ୍ଧାଳୁ । ସବୁଠାରୁ ବଡ଼କଥା ହେଉଛି କି, ଏହି ପମ୍ବାନ ବ୍ରିଜ୍ ନିକଟରେ ଆଉ ଏକ ନୂଆ ବ୍ରିଜ୍ ମଧ୍ୟ ନିର୍ମାଣ ହେଉଛି । ଯାହାକି ୧୦୧ ସ୍ତମ୍ଭ ବିଶିଷ୍ଟ ବୋଲି କୁହାଯାଉଛି । ତେବେ ଏହାର ଲମ୍ବ ୨.୫ କିଲୋମିଟର ବିଶିଷ୍ଟ । ଏହା ହେଉଛି ଭାରତ ପ୍ରଥମ ଭର୍ଟିକାଲ ଲିଫ୍ଟ ବ୍ରିଜ । ସମୁଦ୍ରରେ ଯାଉଥିବା ଜାହାଜଗୁଡ଼ିକ ଏହି ବ୍ରିଜ୍ ତଳ ଦେଇ ଯାତାୟତ କରିପାରନ୍ତି । ପୁରୁଣା ବ୍ରିଜ୍ଟି ଏକକ ଲାଇନ ବିଶିଷ୍ଟ ହୋଇଥିବାବେଳେ ନୂତନ ବ୍ରିଜ ଉପରେ ଦୁଇଟି ଟ୍ରାକ ଯାଇଛି । ଘଂଟାପ୍ରତି ୮୦ କିଲୋମିଟର ବେଗରେ ଟ୍ରେନଗୁଡ଼ିକ ଯାଇପାରିବ ବୋଲି ମଧ୍ୟ କୁହାଯାଉଛି । ତେବେ ୧୯୬୪ ମସିହାରେ ଘୂର୍ଣ୍ଣିବଳୟରେ ପୁରୁଣା ବ୍ରିଜ୍ଟି କ୍ଷତିଗ୍ରସ୍ତ ହୋଇଥିଲା । ଯେଉଁଥିପାଇଁ କିଛି ଦିନ ମଧ୍ୟ ରେଳଯାତ୍ରା ବନ୍ଦ ରହିଥିଲା । କିନ୍ତୁ ପରବର୍ତୀ ସମୟରେ ଏହାର ମରାମତି କରାଯିବାପରେ ପୁଣିଥରେ ରେଳଯାତ୍ରା ଆରମ୍ଭ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।