You are currently viewing ଏଣ୍ଟ୍ରି ପାଇଁ ଟିକେଟ୍‌ ନୁହେଁ, ରୁଟି ଧରି ପହଞ୍ଚିଲେ ଲୋକେ

ଏଣ୍ଟ୍ରି ପାଇଁ ଟିକେଟ୍‌ ନୁହେଁ, ରୁଟି ଧରି ପହଞ୍ଚିଲେ ଲୋକେ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ। ଏଥିରେ ଦେଖିବାକୁ ମିଳୁଛି, ଭଜନ ଗାୟକ କୀର୍ତ୍ତିଦାନ ଗଢ଼ଓ୍ଵିଙ୍କ ପ୍ରୋଗ୍ରାମରେ ପ୍ରବେଶ ପାଇଁ ଲୋକେ ଟିକେଟ୍‌ ନୁହେଁ, ବରଂ ଏହା ଜାଗାରେ ରୁଟି ଧରି ପହଞ୍ଚିଛନ୍ତି। ଭାଇରାଲ ଭିଡିଓ ଗୁଜରାଟ ପାଟନାର ବୋଲି କୁହାଯାଉଛି। ଭିଡିଓଟି ସାମ୍ନାକୁ ଆସିବା ପରେ ଲୋକେ ଏହା ଉପରେ ନାନା ପ୍ରତିକ୍ରିୟା ଦେବା ସହିତ ଖୁବ୍‌ ମାତ୍ରାରେ ସେୟାର କରିବାରେ ଲାଗିଛନ୍ତି। କହି ରଖୁଛୁ, ପୂରା ବିଶ୍ୱରେ ଏକମାତ୍ର ମନ୍ଦିର ପାଟନା ସହରରେ ଅଛି, ଯେଉଁଠି ପୂଜା ପାଉଛନ୍ତି ରୋଟଲିଆ ହନୁମାନ। ଅନେକ ମନ୍ଦିରରେ ଠାକୁରଙ୍କୁ ସୁନା, ଚାନ୍ଦିର ଆଭୂଷଣ ଚଢ଼ାଯାଉଥିବା ବେଳେ ପ୍ରସାଦ ଚଢ଼ାଇବା ପାଇଁ ମିଷ୍ଠାନ୍ନ ନେଇ ଯାଆନ୍ତି। କିନ୍ତୁ ପାଟନାର ରୋଟଲିଆ ହନୁମାନ ମନ୍ଦିରରେ ଭକ୍ତମାନେ ପ୍ରସାଦ ଆକାରରେ ଚଢ଼ାଇ ଥାଆନ୍ତି ରୁଟି। ପାଟନାରେ ଥିବା ଏହି ରୋଟଲିଆ ହନୁମାନ ମନ୍ଦିରରେ ଗାୟକ କୀର୍ତ୍ତିଦାନ ଗଢ଼ଓ୍ଵିଙ୍କ ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଟଙ୍କା ବର୍ଷା ହେଉଥିବା ବେଳେ ଏଠି କିନ୍ତୁ କୀର୍ତ୍ତିଦାନଙ୍କ ଭଜନ କାର୍ଯ୍ୟକ୍ରମରେ ରୁଟିର ପାହାଡ଼ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ଏଣ୍ଟ୍ରି ପାଇଁ ଲୋକଙ୍କୁ ଟିକେଟ୍‌ ନୁହେଁ, ବରଂ ରୁଟି ଆଣିବାକୁ କୁହାଯାଇଥିଲା। ଗୋଟିଏ ରୁଟିରୁ ଆରମ୍ଭ କରି ୧୦ଟି ପର୍ଯ୍ୟନ୍ତ ରୁଟି ଧରି ଲୋକେ ଏହି କାର୍ଯ୍ୟକ୍ରମରେ ପ୍ରବେଶ କରିଥିଲେ। ମାତ୍ର କିଛି ମିନିଟ୍‌ ଭିତରେ ମଞ୍ଚ ଉପରେ ସୃଷ୍ଟି ହୋଇଥିଲା ରୁଟିର ପାହାଡ଼। ତେବେ ରୁଟିଗୁଡ଼ିକୁ ନେବା ପଛରେ ପଶୁପକ୍ଷୀ ଓ ବୁଲା କୁକୁରଙ୍କୁ ଭୋଜନ ଉପଲବ୍ଧ କରାଇବା ଥିଲା ଏହାର ଏକମାତ୍ର ଉଦ୍ଦେଶ୍ୟ। ଏହି ଅବସରରେ ଗାୟକ କୀର୍ତ୍ତିଦାନ ଲୋକମାନଙ୍କୁ ମନ୍ଦିର ଆସିବା ସମୟରେ ରୁଟି ନିଶ୍ଚୟ ଆଣିବାକୁ ଅନୁରୋଧ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।