You are currently viewing ଶିବ ମନ୍ଦିରରେ ତାର ବାଡ଼ ପକାଇବାକୁ ନେଇ ୨ ଗାଁ ଭିତରେ ଉତ୍ତେଜନା, ପ୍ରଶାସନ ଚୁପ୍

ଶିବ ମନ୍ଦିରରେ ତାର ବାଡ଼ ପକାଇବାକୁ ନେଇ ୨ ଗାଁ ଭିତରେ ଉତ୍ତେଜନା, ପ୍ରଶାସନ ଚୁପ୍

ନୟାଗଡ ଜିଲ୍ଲା ରଣପୁର ଥାନା ଲୋଧାଚୁଆ ପଞ୍ଚାୟତ ପାଟବେରଣ ଗ୍ରାମରେ ଥିବା ବେଲେଶ୍ୱର ଶିବ ମନ୍ଦିରରେ ଆଜକୁ ପାଞ୍ଚ ଦିନ ହେବ ଠାକୁରଙ୍କ ପୂଜା ଅର୍ଚନା ବନ୍ଦ ରହିଛି । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ଏ ନେଇ ଗ୍ରାମବାସୀଙ୍କ ତରଫରୁ ସ୍ଥାନୀୟ ପ୍ରଶାସନ ଓ ପୋଲିସଙ୍କୁ ଜଣାଇଲେ ମଧ୍ୟ ଏହାର କୌଣସି ସମାଧାନ ହୋଇ ପାରୁନି । ଆଗକୁ ଉଭୟ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିବାର ଆଶଙ୍କା ଦେଖା ଦେଇଛି । ପ୍ରକାଶ ଯେ, ବୃନ୍ଦାବନପୁର ପଞ୍ଚାୟତର ଲେଖନପୁର ଗ୍ରାମରେ ନୀଳକଣ୍ଠେଶ୍ଵର ଦେବଙ୍କ ଶିବ ମନ୍ଦିର ରାଜରାଜୁଡ଼ା ଅମଳରୁ ରହିଛି । ଏହି ମନ୍ଦିର ନାମରେ ରଣପୁରର ବିଭିନ୍ନ ପଞ୍ଚାୟତରେ ଠାକୁରଙ୍କ ଜମି ରହିଛି । ଏହି ଜମିକୁ ପୂଜକମାନେ ଭୋଗ ଦଖଲ କରି ଆସୁଛନ୍ତି । ସେହିପରି ପାଟବେରଣା ଗ୍ରାମରେ ନୀଳକଣ୍ଠେଶ୍ଵର ଦେବଙ୍କ ନାମରେ 80 ଡେସିମିଲ ଜମି ରହିଛି l ଏହି ଜମି ଉପରେ କିଛି ବର୍ଷ ହେବ ପାଟବେରଣା ଗ୍ରାମର ଗ୍ରାମବାସୀମାନେ ବେଲେଶ୍ୱର ଦେବ ଓ ମା ତାରିଣୀ ମନ୍ଦିର କରି ପୂଜା ଅର୍ଚନା କରି ଆସୁଥିଲେ । କିଛି ଦିନ ହେବ ଲେଖନପୁର ଗ୍ରାମବାସୀମାନେ ପାଟବେରଣା ଗ୍ରାମକୁ ଆସି ଆମ୍ଭ ଗ୍ରାମର ଠାକୁରଙ୍କ ଜମି କହି ପାଞ୍ଚ ଲକ୍ଷ ଟଙ୍କା ଦାବିକରିଥିଲେ। ପାଟବେରଣ ଗ୍ରାମବାସୀ ମାନେ ଏହି ଟଙ୍କା ନ ଦେବାରୁ ବେଲେଶ୍ୱର ଦେବଙ୍କ ମନ୍ଦିର ଚାରି ପାଖେ ତାର ବାଡ଼ ଘେରାଉ କରିବା ସହିତ, ମନ୍ଦିର ପରିଷଦରେ ଥିବା କିଛି ଗଛକୁ କାଟି ଦେଇଥିଲେ l ଯାହା ଫଳରେ ମନ୍ଦିର ଭିତରକୁ ନ ଯାଇ ପାରିବାରୁ ପୂଜା ଅର୍ଚନା ହେଇ ପାରୁନି ବୋଲି ପାଟବେରଣା ଗ୍ରାମବାସୀ କହିଛନ୍ତି । ଏହି ପ୍ରବେଶ ପଥରେ ଦିଆଯାଇଥିବା ବାଡ଼ ଆମ୍ଭେମାନେ କରି ନାହୁଁ ବୋଲି ଲେଖନପୁର ଗ୍ରାମବାସୀ କହିଛନ୍ତି । ଏ ନେଇ ଉଭୟ ଗ୍ରାମବାସୀମାନେ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଉଭୟ ଗ୍ରାମ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । କେଉଁ ମୁହୂର୍ତରେ ଗୋଷ୍ଠୀ ସଂଘର୍ଷ ଘଟିବ ତାହା କହି ହେଉ ନାହିଁ । ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।