You are currently viewing ସାପ ଧରାଳିଙ୍କୁ ନେଇଯାଇଥିବା ଘଟଣାରେ ରେଞ୍ଜର ଅଫିସ ଘେରିଲେ ଗ୍ରାମବାସୀ

ସାପ ଧରାଳିଙ୍କୁ ନେଇଯାଇଥିବା ଘଟଣାରେ ରେଞ୍ଜର ଅଫିସ ଘେରିଲେ ଗ୍ରାମବାସୀ

ରଣପୁର, (ସୁକାନ୍ତ ଡାକୁଆ): ଜଣେ ସାପ ଧରାଳୀଙ୍କୁ ରାତି ସମୟରେ ଜୋର ଜବରଦସ୍ତି କରି ଘରୁ ନେଇଯିବା ମହଙ୍ଗା ପଡ଼ିଲା ବନ ବିଭାଗକୁ । ଏନେଇ ସୋମବାର ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ନାମରେ ୨୨୮/୨୦ରେ ମାମଲା ରୁଜୁ ହୋଇଥିଲା । ସୂଚନା ଥାଉକି, ପାଞ୍ଚ ଦିନ ପରେ ଅଜୟଙ୍କର କୌଣସି ପତ୍ତା ନ ମିଳିବାରୁ ଅଜୟଙ୍କ ମାଆ ପ୍ରମିଳା ଦାସ ପୁଅ ନିଖୋଜ ହେବା ନେଇ ରଣପୁର ଥାନାରେ ଗତ ଛଅ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ଅଭିଯୋଗ ପାଇ ଚୁପଚାପ ବସି ରହିଥିଲା । ଅପର ପକ୍ଷେ ଅଜୟଙ୍କ ପରିବାର ଓ ଗ୍ରାମବାସୀ ରଣପୁର ବନ ବିଭାଗ ସହିତ ଯୋଗାଯୋଗ କରିବାରୁ ସାପ ଧରାଳି ଅଜୟଙ୍କୁ ଉଠାଇ ନ ଥିବା କହିଥିଲେ ।

ଏହାକୁ ବିରୋଧ କରି ସୋମବାର ଦିନ ନନ୍ଦପୁର ଗ୍ରାମର ଶତାଧିକ ପୁରୁଷ ମହିଳା ରଣପୁର ଥାନା ଘେରାଉ କରିବାକୁ ଯାଉଥିବା ଖବର ପାଇ ରଣପୁର ଥାନା ଅଧିକାରୀ ସେମାନଙ୍କୁ ବାଟରେ ଅଟକାଇ ଥିଲେ ଏବଂ ସଙ୍ଗେ ସଙ୍ଗେ ଘେରାଉ ଭୟରେ ୨୨୮/୨୦ ରେ ଏକ ମାମଲା ରଣପୁର ଥାନାରେ ରୁଜୁ କରୁଥିଲେ। ଏହାପରେ ଗ୍ରାମବାସୀମାନେ ଥାନାକୁ ନ ଯାଇ ରଣପୁର ବନ ବିଭାଗକୁ ଘେରାଉ କରିଥିଲେ। ଏହି ଖବର ପାଇ ଖୋର୍ଦ୍ଧା ଏସିଏଫ ଘଟଣା ସ୍ଥଳକୁ ଆସି ଲୋକମାନଙ୍କୁ ବୁଝାସୁଝା କରି ଶାନ୍ତ କରିଥିଲେ। ଅଜୟଙ୍କୁ ବନ ବିଭାଗ ଆଣି ପଚରା ଉଚରା କରିବା ପାଇଁ ରଖିଥିଲେ, କିନ୍ତୁ ଗତ ରାତିରେ ସେ ଖସି ପଳାଇ ଥିବା ଖୋର୍ଦ୍ଧା ଏସିଏଫ ପ୍ରକାଶ କରିଥିଲେ ।

ଏହାପରେ ଗ୍ରାମବାସୀଙ୍କ ମନରେ ବନ ବିଭାଗ ତାକୁ ଲୁଚାଇ ରଖିଛି ନା ଆଉ କିଛି ଅସୁବିଧା ହୋଇଛି ଏ ନେଇ ସନ୍ଦେହ ଜାତ ହୋଇଥିଲା । ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା। ଏହି ଘଟଣାରେ ସବୁଜ ସୁରକ୍ଷା ବାହିନୀର ୨ ଜଣ ବନ ବିଭାଗ କର୍ମଚାରୀଙ୍କୁ ନିଲମ୍ବନ କରିବା ସହିତ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏଠାରେ ପ୍ରଶ୍ନ ଉଠୁଛି ଯଦି ଜଣକୁ ବାଘ ଶିକାର ଘଟଣାରେ ଅଟକ ରଖି ପଚରା ଉଚରା କରୁଥିଲା, ତାଙ୍କୁ ଜଗିବା ପାଇଁ କିଭଳି ଜଣେ ତାଲିମ ପାଇନଥିବା ଓ ଠିକା କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ଏହାର ଉପଯୁକ୍ତ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।