You are currently viewing ସାତକୋଶିଆ ଗଣ୍ଡ ଆନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ପ୍ରାପ୍ତ ।

ସାତକୋଶିଆ ଗଣ୍ଡ ଆନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ପ୍ରାପ୍ତ ।

  • Post category:ଓଡିଶା
  • Reading time:1 mins read

ଅନୁଗୁଳ(ଏଏନଏସ)୦୪/୦୮,ମହାନଦୀର ସାତକୋଶିଆ ଗଣ୍ଡ ଆନ୍ତର୍ଜାତୀୟ ସ୍ତରରେ ଏକ ପ୍ରାକୃତିକ ଆର୍ଦ୍ରଭୂମି ବା ରାମସର୍ ସାଇଟ୍ ର ମାନ୍ୟତା ପ୍ରାପ୍ତ ହୋଇଛି । ଗତ ଅଗଷ୍ଟ ୩ ତାରିଖରେ ବିଧିବଧ ଭାବେ କେନ୍ଦ୍ର ପରିବେଶ, ଜଂଗଲ ଓ ଜଳବାୟୁ ମନ୍ତ୍ରାଳୟ ଘୋଷଣା କରିବା ପରେ ବିଭିନ୍ନ ପରିବେଶୀୟ ସଂଗଠନ ଓ ପ୍ରକୃତିପ୍ରେମୀ ଏହାକୁ ସ୍ବାଗତ କରିଅଛନ୍ତି । ଓଡିଶାରେ ପୂର୍ବରୁ ଚିଲିକା ହ୍ରଦ ଓ ଭିତରକନିକା ରାମସର୍ ସାଇଟ୍ ର ମାନ୍ୟତା ପାଇଥିଲା । ସାତକୋଶିଆ ଗଣ୍ଡର ପ୍ରଭାହିତ ପ୍ରାକୃତିକ ଜଳ ଭଣ୍ଡାର ର ଗୁରୁତ୍ବ କୁ ଉପଲବଧି କରି ୨୦୧୪ ମସିହା ଠାରୁ “ପ୍ରକୃତି ପରିବେଶ ଓ ବନ୍ୟଜୀବନ ସମିତି” ଆର୍ଦ୍ରଭୂମିର ମାନ୍ୟତା ପାଇଁ ସରକାରୀ ସ୍ତରରେ ଅବଗତ କରାଇବା ସହିତ ବିଭିନ୍ନ ଉପାୟରେ ଦୃଢ ଦାବୀ କରି ଆସୁଥିଲେ । ଦୀର୍ଘ ଦିନ ପରେ ଆନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ପାଇବା ଖବର ପାଇ ସମିତିର ସଂପାଦକ ପ୍ରସନ୍ନ କୁମାର ବେହେରା ଅତ୍ୟନ୍ତ ଖୁସୀ ହେବା ପ୍ରକାଶ କରିଛନ୍ତି । ଅନୁରୂପ ଭାବରେ ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ପ୍ରଦୀପ କୁମାର ସାହୁ , ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ସୁଶୀଲ୍ କୁମାର ପ୍ରଧାନ ବନ୍ୟଜନ୍ତୁପ୍ରେମୀ ସୁବ୍ରତ କୁମାର ପ୍ରଧାନ ପ୍ରକୃତିପ୍ରେମୀ ବିରେନ୍ କୁମାର ପ୍ରଧାନ ପ୍ରମୂଖ ଖବର ପାଇବା ପରେ ଘୋଷଣାକୁ ସ୍ବାଗତ କରିବା ସହ ରାଜ୍ୟ ସରକାରଂକର ଜଂଗଲ ଓ ପରିବେଶ ବିଭାଗ ଏବଂ କେନ୍ଦ୍ର ପରିବେଶ ଜଂଗଲ ଓ ଜଳବାୟୁ ମନ୍ତ୍ରାଳୟକୁ କୃତଜ୍ଞତା ଜଣାଇଛନ୍ତି । ମହାନଦୀର ସାତକୋଶିଆ ଗଣ୍ଡର ଦୁଇ ପାର୍ଶ୍ବରେ ଉଚ୍ଚ ପର୍ବତମାଳା ଅନୁଗୋଳ ଜିଲ୍ଲାର ବିନିକେଇ ଠାରୁ କଟକ ଜିଲ୍ଲାର ବାଲିପୁଟ ପର୍ଯ୍ୟନ୍ତ ୨୨ କିଲୋମିଟର୍ ଦୈର୍ଘ୍ୟ ରହିଛି । ଏହି ୨୨ କିଲୋମିଟର ବା ୭ କୋଶ ଦୂରତା ମହାନଦୀର ପ୍ରସ୍ଥ ସଂକୀର୍ଣ୍ଣ ହୋଇ ଏକ ପ୍ରାକୃତିକ ଗଣ୍ଡ ସୃଷ୍ଟି ହୋଇଛି । ଏହି ଗଣ୍ଡରେ ପ୍ରଭାବିତ ଜଳ ବିଭିନ୍ନ ସ୍ଥାନରେ ୭୦ ରୁ ୮୦ ଫୁଟ୍ ପର୍ଯ୍ୟନ୍ତ ରହୁଥିବା ବେଳେ ଏହାର ଅକାତକାତ ଜଳରାଶି ପାଇଁ ପ୍ରାକୃତିକ ଶୋଭାବର୍ଦ୍ଧନ କରିଥାଏ । ମହାନଦୀର ସାତକୋଶିଆ ଗଣ୍ଡ ଏକ ଲୋଭଭରା ସୌନ୍ଦର୍ଯ୍ୟ ଓ ଆକର୍ଷଣୀୟ ସ୍ଥାନ ଅଟେ ।

ମହାନଦୀର ସାତକୋଶିଆ ଗଣ୍ଡ ପୂର୍ବଘାଟ ପର୍ବତମାଳା ଏବଂ ଦାକ୍ଷିଣାତ୍ୟ ମାଳଭୂମିର ଏକ ଅପୂର୍ବ ମିଳନ ସ୍ଥାନ ଅଟେ । ଯାହାକି ଏହାର ପ୍ରାକୃତିକ ପରିସଂସ୍ଥା ଜୈବ ବିବିଧତା ପରିପୂର୍ଣ୍ଣ ଅଟେ । ପ୍ରଭାହିତ ବିସ୍ତୀର୍ଣ୍ଣ ଜଳ ଭଣ୍ଡାର ଏବଂ ଦୁଇ ପାର୍ଶ୍ବରେ ଘଂଚ ଜଂଗଲ ଉଭୟ ଜଳଚର ଓ ସ୍ଥଳଚର ବନ୍ୟଜନ୍ତୁଂକର ନିରାପଦ ଆଶ୍ରୟ ସ୍ଥଳ ଅଟେ । ନଦୀର ଗଣ୍ଡରେ ଅତି ବିରଳ ଏବଂ ଆୟୁସିଏନ୍ ଦ୍ବାରା ଘୋଷିତ ସଂକଟାପର୍ଣ୍ଣ ପ୍ରାଣୀ ତଥା ଭାରତ ସରକାରଂକର ବନ୍ୟଜନ୍ତୁ ଆଇନ୍ ର ତଫସିଲ୍ ଭୂକ୍ତ -୧ ପ୍ରଜାତିର ପ୍ରାଣୀ ଘଡିଆଳ କୁମ୍ଭୀର ଏଠାରେ ରହିଛନ୍ତି । ଅନୁରୂପ ଭାବରେ ଗଣ୍ଡରେ ମଗର କୁମ୍ଭୀର, ବିରଳ କାଠ କଇଁଛ ଓ ପ୍ରାୟଃ ୮୦ ପ୍ରକାରର ମାଛ ଜାତୀୟ ଜୀବ ଅଛନ୍ତି । ଗଣ୍ଡର ଦୁଇ ପାର୍ଶ୍ବ ଘଂଚ ଜଂଗଲରେ ହାତୀ, ବାଘ, ଗୟଳ, ନୀଳଗାଈ, ବଳିଆ କୁକୁର ଭଳି ବିରଳ ବନ୍ୟଜନ୍ତୁ ୩୧ ପ୍ରକାର ସ୍ତନପାୟୀ ପ୍ରାଣୀ ଅଛନ୍ତି । ଅଜଗର, ଅହିରାଜ୍ ଭଳି ୨୯ ପ୍ରକାର ସରୀସୃପ ଏବଂ ୧୦ ପ୍ରକାରର ଉଭୟଚର ପ୍ରାଣୀ ଅଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ପ୍ରତି ବର୍ଷ ଏହି ଜଳ ଭଣ୍ଡାରକୁ ବିଦେଶାଗତ ପକ୍ଷୀ ଆଗମନ କରିଥାନ୍ତି । ବ୍ରାହ୍ମଣୀ ଡକ୍, ରୁଢିସେଲଡକ୍, ଗଡୱାଲ୍, ଟଫଟେଡ୍, ପୋଚାଡ୍, ବ୍ଲାକ୍ ବିଲଡ୍ ଟେରାନ୍, ରିଭର୍ ଟେରାନ୍, ରିଭର୍ ଲାପ୍ଂଗ୍ ଆସୁଥିବା ବେଳେ ଇଣ୍ଡିଆନ୍ ସ୍କିମର୍ ପକ୍ଷୀ ଏ ଅଂଚଳର ବିଶେଷ ଶୋଭାବର୍ଦ୍ଧନ କରିଥାଏ । ପ୍ରାୟ ୪ଶହ ପ୍ରକାର ଉଭୟ ଜଳଚର ଓ ଜଂଗଲୀ ପକ୍ଷୀ ଏହି ଅଂଚଳ ଦେଖାଯାଉଥିବାର ବିଭିନ୍ନ ଗବେଷଣା ଓ ଆକଳନରୁ ଜଣାଯାଏ । ପ୍ରାକୃତିକ ସୌନ୍ଦର୍ଯ୍ୟ, ବନ୍ୟଜନ୍ତୁ ମାନଂକର ନିରାପଦ ବାସସ୍ଥଳୀ ଓ ପେଣ୍ଠସ୍ଥଳୀ ତଥା ପ୍ରାୟଃ ୧ ହଜାର ପ୍ରକାରର ଗଛଲତା ଉଦ୍ଭିଦ ଘାସ ଗୁଳ୍ମ ଏହି ଅଂଚଳକୁ ଏକ ଜୈବ ବିବିଧତା ପରିପୂର୍ଣ୍ଣ ଅଂଚଳର ମାନ୍ୟତା ଦେଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟତା ଏବଂ ପରିସଂସ୍ଥାର ବ୍ୟାପକତା ଅନୂକୁଳ ପ୍ରଭାବ ବିଶ୍ବ ଦରବାରକୁ ପ୍ରଭାବିତ କରିଅଛି । ବିଶ୍ବସ୍ତରରେ ଏହାର ଗୁରୁତ୍ବ ସ୍ବତନ୍ତ୍ର ଭାବେ ସ୍ଥାନ ପାଇଛି । ଇତି ମଧ୍ୟରେ ଏହାର ଗୁରୁତ୍ବକୁ ନେଇ ରାଜ୍ୟ ସରକାର ୧୯୭୬ ମସିହାରେ ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ଘୋଷଣା କରିବା ସହିତ ୨୦୦୨ ମସିହାରେ ମହାନଦୀ ହସ୍ତୀ ପ୍ରକଳ୍ପ ର ମାନ୍ୟତା ପାଇଛି । ୧୯୭୫ ମସିହାରେ କୁମ୍ଭୀର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ୨୦୦୭ ମସିହାରେ ଭାରତ ସରକାରଂକର ଅନୁମୋଦନ କ୍ରମେ ରାଜ୍ୟ ସରକାର ବ୍ୟାଘ୍ର ସଂରକ୍ଷଣ ଅଂଚଳ ଭାବେ ଘୋଷଣା କରିଛନ୍ତି । ଆଗାମୀ ଦିନରେ ସରକାର ଏହି ଅଂଚଳକୁ ବିଶ୍ବ ପ୍ରାକୃତିକ ଐତିହ୍ୟ ସ୍ଥଳ , ଜାତୀୟ ଉଦ୍ୟାନ ଏବଂ ଜୈବ ମଣ୍ଡଳ ର ମାନ୍ୟତା ଦେବା ପାଇଁ ପ୍ରକୃତିପ୍ରେମୀ ପ୍ରସନ୍ନ କୁମାର ବେହେରା ଦୃଢ ଦାବୀ ଜଣାଇଅଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।