You are currently viewing ଶୁଭୁନି କିଚିରିମିଚିରି, ଦୋହଲୁନି ଆଉ ବାଇଚଢେ଼ଇର ବସା

ଶୁଭୁନି କିଚିରିମିଚିରି, ଦୋହଲୁନି ଆଉ ବାଇଚଢେ଼ଇର ବସା

(ଅଭିପ୍ସା): କିଚିରି ମିଚିରି କାକଳୀରେ ଗାଁର ଶୋଭାମଣ୍ଡନ କରେ ବାଇଚଢେ଼ଇ । ଯଦି ଗାଁର ଦୃଶ୍ୟ କେବେ ମନକୁ ଆସେ, ତେବେ ପ୍ରଥମେ ବାଇଚଢେ଼ଇର ବସା କଥା ମନପଡେ଼ । ଗାଁମାନଙ୍କରେ ତାଳଗଛରେ ବାଇଚଢେ଼ଇ ବସା ବାନ୍ଧି ରହିଥାନ୍ତି । ଏବେ କିନ୍ତୁ ସେସବୁ ବହୁତ କମ୍ ଦେଖିବାକୁ ମିଳୁଛି । କହିବାକୁ ଗଲେ ଗାଁର ସେଇ ମନୋରମ ଦୃଶ୍ୟ ଯେମିତି ସ୍ମୃତି ପାଲଟି ଗଲାଣି । ତଥାପି କିଛି କିଛି ଗାଁରେ ଏବେବି ଜିବୀତ ପ୍ରକୃତିର ଅନ୍ୟତମ ସୃଷ୍ଟି ବାଇଚଢେ଼ଇ ।


ଆଗରୁ ଗାଁ ମାନଙ୍କରେ ମା’ ମାନେ ତାଙ୍କ ଛୁଆକୁ ଖାଇବାକୁ ଦେଲା ବେଳେ କିମ୍ବା ଶୁଆଇଦେଲା ବେଳେ ବାଇଚଢେ଼ଇର ବସାକୁ ବୁଲେଇ ଦେଖାଇଥାନ୍ତି । କିଛି ବୁଝୁନଥିବା କଅଁଳ ଛୁଆ ସେଇ ବାଇଚଢେ଼ଇ ଓ ତା’ର ବସାକୁ ଦେଖି ଖୁସୀ ହୋଇଯାଏ । ବାଇଚଢେ଼ଇର ବସାକୁ ଦେଖିଲେ ଏମିତି ମନେହୁଏ, ଏ ଆଧୁନିକ ଯୁଗର ବିନ୍ଧାଣୀବି ଏଭଳି କରିବା ଆଗରୁ ଅନେକ ଥର ଚିନ୍ତା କରିବ । ସେ ଅତି ସୁନ୍ଦର ଭାବରେ ନିଜର ବସାଟିକୁ ତିଆରି କରିଥାଏ । ନିଜକୁ ଶୀତ, କାକର ଓ ଖରା ଦାଉରୁ ରକ୍ଷା କରିବାକୁ ଅତି ଚତୁରତାର ସହିତ ସେ ତାଳ ଗଛରେ ବସା ବାନ୍ଧି ଥାଏ । ଚଢେ଼ଇଟି ଯେତିକି ଛୋଟ, ବୁଦ୍ଧିରେ ସେତିକି ପ୍ରଖର ମଧ୍ୟ ।


ଅଜା ଆଇ ଅମଳରେ ଗାଁ ମାନଙ୍କରେ ସେମାନେ ବାଇଚଢେ଼ଇକୁ ନେଇ ଦିଗ ନିର୍ଦ୍ଧାରଣ କରିଥାନ୍ତି । ସେମାନେ କୁହନ୍ତି, ବାଇଚଢେ଼ଇ କୁଆଡେ଼ ଦିଗ ଅନୁସାରେ ବସା ବାନ୍ଧି ଥାନ୍ତି । କେଉଁ ଦିଗକୁ ବାଇଚଢେ଼ଇ ବସା ହଲିଲେ କେତେ ମାତ୍ରାରେ ପବନ ଏବଂ ବର୍ଷା ହେବ ବୋଲି ପୁରୁଣାକାଳିଆ ଲୋକମାନେ କହିଥାନ୍ତି ଶୁଣିବାକୁ ମିଳେ ।

ଏବେ ସମସ୍ତେ ଘର ଓ ନିଜ କାରକୁ ସୁନ୍ଦର ଦିଶିବା ପାଇଁ କତାରେ ପ୍ରସ୍ତୁତ ହୋଇଥିବା ବାଇଚଢେ଼ଇ ବସା ଆଣି ଝୁଲଉଛନ୍ତି । ଅନେକ ଘରେ ସେଇ ବସାକୁ ଦେଖାଇ ଛୁଆମାନଙ୍କୁ ଜେଜେ ମା ଓ ଜେଜେ ବାପା କାହାଣୀ ମଧ୍ୟ ଶୁଣାଉଛନ୍ତି । ଆଜିବି ଘରେଘରେ ଗୁରୁତ୍ୱ ବହନ କରୁଛି ସେଇ ବାଇଚଢେ଼ଇର ବସା । ଏ ଚେଢେ଼ଇଟି ସମାଜ ପାଇଁ ଉପକାରୀ ବୋଲି ଭାବିନେବା କିଛି ଭୁଲ ହେବନାହିଁ । ତା ସହିତ ଗାଁ ପରିବେଶର ସୌନ୍ଦର୍ଯ୍ୟ ବୃଦ୍ଧି ମଧ୍ୟ କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।